ତିଆନଜି: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ବଡ ବୟାନ। କହୁକହୁ କହିଦେଲେ ବହୁ ଭିତିରି କଥା। ଚୀନର ତିଆନଜିନରେ ଅନୁଷ୍ଠିତ ଶାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ଅବସରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଶେହବାଜ ଏକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ରୁଷିଆ ଓ ଭାରତ ମଧ୍ୟରେ ଥିବା ଦୀର୍ଘଦିନର ସାମରିକ ଏବଂ ରାଜନୈତିକ ସମ୍ପର୍କକୁ ସମ୍ମାନ ଦେଇଥାଏ। ଏହି ବୈଠକ ଏସସିଓ ସମ୍ମିଳନୀର ପାଶ୍ୱରେ ହୋଇଥିଲା, ଯେଉଁଠାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁଟିନଙ୍କ ସହ ଆଲୋଚନା କରିଥିଲେ। 

ଶରୀଫ ଏହି ବୈଠକରେ ରୁଷିଆ ସହ ପାକିସ୍ତାନର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା, ବିଶେଷକରି ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ପନ୍ନ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ରୁଷିଆର ସହାୟତା ମାଗିଥିଲେ। ଶରୀଫ କହିଥିଲେ ଯେ, ପାକିସ୍ତାନ ଏହି ଘଟଣାର ନିରପେକ୍ଷ ତଦନ୍ତ ଚାହୁଁଛି ଏବଂ ଭାରତ ସହ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତ। 

ପୁଟିନ ଭାରତ ଓ ରୁଷିଆ ମଧ୍ୟରେ ଥିବା ସୌହାର୍ଦ୍ଦପୂର୍ଣ୍ଣ ସହଯୋଗକୁ ପ୍ରଶଂସା କରିଥିଲେ ଏବଂ ମୋଦୀଙ୍କ ସହ ତାଙ୍କର ବୈଠକକୁ "ଅତ୍ୟନ୍ତ ଫଳପ୍ରଦ" ବୋଲି ବର୍ଣ୍ଣନା କରିଥିଲେ। ସେ ଡିସେମ୍ବରରେ ଭାରତ ଗସ୍ତ ପାଇଁ ମୋଦୀଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଥିବା ମଧ୍ୟ ଉଲ୍ଲେଖ କରିଥିଲେ। 

ଏହା ସହିତ, ଶରୀଫ ଓ ପୁଟିନ ରୁଷିଆରୁ ପାକିସ୍ତାନକୁ ଗ୍ୟାସ ଯୋଗାଣ ଏବଂ ଅର୍ଥନୈତିକ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ୨୦୨୨ରେ ସାମାରକାଣ୍ଡରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ମଧ୍ୟ ରୁଷିଆ ପାଇପଲାଇନ ଗ୍ୟାସ ଯୋଗାଣ ପାଇଁ ପ୍ରସ୍ତାବ ଦେଇଥିଲା। 

ଏହି ବୈଠକ ଦର୍ଶାଉଛି ଯେ, ପାକିସ୍ତାନ ଭାରତ ସହ ଉତ୍ତେଜନା ହ୍ରାସ କରିବା ପାଇଁ ରୁଷିଆର ମଧ୍ୟସ୍ଥତା ଚାହୁଁଛି। ଯେତେବେଳେ ରୁଷିଆ ଭାରତ ସହ ତା’ର ଐତିହାସିକ ସମ୍ପର୍କକୁ ଆହୁରି ଗଭୀର କରିବାକୁ ପ୍ରୟାସ ଜାରି ରଖିଛି।