ଦୁବାଇ: ଏସିଆ କପର ସୁପର ଫୋର ମ୍ୟାଚରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲାରେ ଏକ ବିବାଦାସ୍ପଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ପାକିସ୍ତାନର ବ୍ୟାଟ୍ସମ୍ୟାନ ସାହିବଜାଦା ଫର୍ହାନଙ୍କର ଅର୍ଧଶତକ ପରେ ତାଙ୍କ ଦ୍ୱାରା କରାଯାଇଥିବା AK-47 ଷ୍ଟାଇଲ ସେଲିବ୍ରେସନ ଭାରତୀୟ ପ୍ରଶଂସକଙ୍କୁ ବହୁଳମାତ୍ରେ ଉତକ୍ଷିପ୍ତ କରିଛି। ଯାହାକୁ ନେଇ ବିଭିନ୍ନ ସୋଶିଆଲ ମିଡିଆରେ ଏହା ବିପୁଳ ଆଲୋଚନାର ବିଷୟ ହୋଇଛି। ଏହାଛଡା ଅନେକ ବ୍ୟବହାରକାରୀ ଏହାକୁ ରାଜନୈତିକ ସନ୍ଦର୍ଭରେ ନେଇ ମଧ୍ୟ ଏହାର କଡା ନିନ୍ଦା କରିଛନ୍ତି।

ସୂଚନା ମୁତାବକ, ରବିବାର ପାକିସ୍ତାନର ଇନିଙ୍ଗ୍ସ ସମୟରେ, ଫର୍ହାନ ଅର୍ଧଶତକ ପୂରଣ କରିବା ପରେ ତାଙ୍କ ବ୍ୟାଟକୁ AK-47 ବନ୍ଧୁକ ଭାବେ ଧରି ସେଲିବ୍ରେସନ କରିଥିଲେ। ଯାହା ଭାରତୀୟ ପ୍ରଶଂସକଙ୍କୁ ଆଘାତ ଦେବା ସହ ସେମାନଙ୍କୁ ଗଭୀରତ ଭାବେ ଉତକ୍ଷିପ୍ତ କରିଦେଇଥିଲା। ପରେ ଏହି ମାମଲା ବଢିବା ଯୋଗୁଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ #AK47Celebration ହ୍ୟାଶଟ୍ୟାଗ୍ ଭାଇରାଲ୍ ହୋଇଯାଇଥିଲା। ଭାରତୀୟ ପ୍ରଶଂସକମାନେ ଏହାକୁ ଅତ୍ୟନ୍ତ  ଅସଂବେଦନଶୀଳ ଓ ଅସମୟୋଚିତ ବୋଲି କହି ପାକିସ୍ତାନ କ୍ରିକେଟ ଖେଳାଳିଙ୍କ ଉପରେ ଆକ୍ରମଣ କରିଛନ୍ତି। ତେବେ ଏହି ମାମଲା ପାକିସ୍ତାନର ସାମରିକ ପୃଷ୍ଠଭୂମି ସହିତ ଜଡ଼ିତ ହୋଇଥିବାରୁ ଏହା ଧିରେ ଧିରେ ରାଜନୈତିକ ରଙ୍ଗ ନେବାରେ ଲାଗିଛି।

ସୋମବାର ଏକ ପ୍ରେସ୍ କନ୍ଫରେନ୍ସରେ ଫର୍ହାନ ଏହି ବିଷୟରେ ନୀରବତା ଭାଙ୍ଗି କହିଛନ୍ତି ଯେ, “ଯଦି ଆପଣ ଛକା ବିଷୟରେ କଥା କହୁଛନ୍ତି, ଆପଣ ଭବିଷ୍ୟତରେ ଏହା ଅଧିକ ଦେଖିବେ। ତେବେ ମୁଁ ମନାଇଥିବା ସେଲିବ୍ରେସନ ସେହି ସମୟର କେବଳ ଏକ ବିଶେଷ ମୁହୂର୍ତ୍ତ ଥିଲା। ମୁଁ ଅର୍ଧଶତକ ପାଇଲା ପରେ ଅଧିକ ସେଲିବ୍ରେସନ କରେନାହିଁ। କିନ୍ତୁ, ରବିବାର ମୋ ମନରେ ହଠାତ୍ ଏମିତି ସେଲିବ୍ରେସନ କରିବାକୁ ଭାବନା ଆସିଥିଲା।ଲୋକମାନେ ଏହାକୁ କିପରି ଗ୍ରହଣ କରୁଛନ୍ତି, ତାକୁ ମୁଁ ଖାତିର କରେନାହିଁ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ ଖେଳର ଏକ ଅଂଶ ଥିଲା, ଏବଂ କୌଣସି ରାଜନୈତିକ ଅର୍ଥ ନେଇ ଏହାକୁ ପ୍ରଦର୍ଶନ କରାଯାଇନଥିଲା।

ଖାଲି ଫର୍ହାନ ନୁହଁନ୍ତି ପାକିସ୍ତାନୀ ଟିମର ଅନ୍ୟ ଖେଳାଳିମାନଙ୍କର ଭାରତୀୟ ପ୍ରଶଂସକଙ୍କ ପ୍ରତି ବିଭିନ୍ନ ଶିଶୁସୁଲଭ ଆଚରଣ ମଧ୍ୟ ଆଲୋଚନାରେ ରହିଛି। ଯାହା ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏହାକୁ ଖେଳର ଏକ ଅଂଶ ଭାବେ ସ୍ୱୀକାର କରିଛି। କିନ୍ତୁ ବିଭିନ୍ନ ଭାରତୀୟ କ୍ରିକେଟର ଯଥା ବିରାଟ କୋହଲି ଓ ରୋହିତ ଶର୍ମା ଏହାକୁ 'ଅନାବଶ୍ୟକ' ବୋଲି କହିଛନ୍ତି। ଏହି ବିବାଦ କ୍ରିକେଟର ଭାରତ-ପାକିସ୍ତାନ ଦିଗକୁ ଆହୁରି ତୀବ୍ର କରିଛି।

ଫର୍ହାନଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। କେତେକେ ତାଙ୍କ ନିର୍ଦ୍ଦୋଷତାକୁ ସ୍ୱୀକାର କରୁଥିବା ବେଳେ, ଅନ୍ୟମାନେ ଏଦିଗରେ ଅଧିକ ସତର୍କତା ଦରକାର ବୋଲି ମତ ଦେଉଛନ୍ତି। ଏସିଆ କପର ଅନ୍ୟ ମ୍ୟାଚଗୁଡ଼ିକରେ ଏହି ବିବାଦର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି।