ବାଣପୁର: ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଧିନସ୍ଥ ନୀଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତର ହିସାବରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର (ADEO) ରାକେଶ କୁମାର ସାହୁଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ଆଦିବାସୀ ହିତାଧିକାରୀଙ୍କଠାରୁ ସରକାରୀ ଆନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥାତ୍ ୪୦,୦୦୦ ଟଙ୍କା ମଞ୍ଜୁର କରିବା ବଦଳରେ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାସହ ସେ ଦ୍ୱିତୀୟ କିସ୍ତି ଅଟକାଇବାର ଧମକ ମଧ୍ୟ ଦେଇଥିଲେ।
ହିତାଧିକାରୀ ଏନେଇ ଓଡ଼ିଶା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ଶ୍ରୀ ସାହୁଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା। ହିତାଧିକାରୀ ଜଣଙ୍କ ଶ୍ରୀ ସାହୁଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡି ବସିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଅର୍ଥାତ୍ ୬,୦୦୦ ଟଙ୍କା ଜବତ କରାଯାଇଛି।
ଏହି ଘଟଣା ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଧାରା ୭, ପି.ସି. ଆକ୍ଟ (ସଂଶୋଧନ) ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଶ୍ରୀ ସାହୁଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି। ଏହାସହ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ସାହୁଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଯାଞ୍ଚ ଆରମ୍ଭ କରାଯାଇଛି।