ନୂଆଦିଲ୍ଲୀ: ଶୁକ୍ରବାର ପଞ୍ଜାବ ଭଟିଣ୍ଡାର ଜିୱନ ସିଂ ୱାଲା ଗାଁ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଯାତ୍ରୀବାହୀ ବସ୍ ଡ୍ରେନ୍‌କୁ ଓଲଟି ପଡ଼ିବାରୁ ଏଭଳି ସ୍ଥିତି ହୋଇଛି। ବସଟି ଗନ୍ତବ୍ୟସ୍ତଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଡ୍ରେନକୁ  ଖସି ପଡ଼ିଥିଲା। ଦୁର୍ଘଟଣାରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଛି।  

ଏହି ବସ ଦୁର୍ଘଟଣାରେ ଜଣେ ୨ ବର୍ଷର ଝିଅ ସମେତ ମୋଟ ୫ ଜଣ ତଲୱଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଭଟିଣ୍ଡାର ସିବିଲ ଡାକ୍ତରଖାନାରେ ତିନିଜଣ ମୃତ୍ୟୁ ହୋଇଛି। ଫଳରେ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଥିବା ବେଳେ ଆଉ ୩ ଜଣଙ୍କ ପରିଚୟ ଏଯାଏ ମିଳିପାରି ନାହିଁ।

 ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଭଟିଣ୍ଡାର ଡେପୁଟି କମିଶନର। ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ସରକାର ଯାହା ସହାୟତା ଦେବେ ଆମେ ପୀଡ଼ିତ ପରିବାରଙ୍କ ପାଖରେ ପହଞ୍ଚାଇବାରେ ସହଯୋଗ କରିବୁ ବୋଲି ଭଟିଣ୍ଡାର ଡେପୁଟି କମିଶନର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ତେବେ ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ ବସଟି ତଲୱଣ୍ଡି ସବୋରୁ ଭଟିଣ୍ଡାକୁ ଯାତ୍ରା କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍ ପ୍ରଥମେ ବ୍ରିଜରେ ମାଡ ହୋଇ ଡ୍ରେନକୁ ଓଲଟି ପଡିଥିଲା। ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକ ସାଙ୍ଗେସାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତ ମାନଙ୍କୁ ଡାକ୍ତରଖାନାକୁ ପହଞ୍ଚାଇଥିଲା। ତେବେ ପାଣିପାଗ ଖରାପ ଯୋଗୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ବୋଲି ଜିଲ୍ଲା ପ୍ରଶାସନ କହିଛି।