ପୁରୀ,୨୩/୧୦: ପୁରୀରେ ପ୍ରତିଷ୍ଠା ହେବ ଯାତ୍ରୀବାହୀ ଜାହାଜ କେନ୍ଦ୍ର ବା ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ୍‌ । ପୁରୀରୁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ସ୍ଥାନକୁ ଯାତ୍ରୀଙ୍କୁ  ନେଇ ଘରୋଇ ସୌଖୀନ ଜାହାଜ ଚଳାଚଳ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ  ଖବର ପ୍ରକାଶ ପାଇଛି । ପୁରୀର ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଏହି ଯାତ୍ରୀବାହୀ  ଜାହାଜ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ହେବ । ପୁରୀ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର କରାଯାଇ ପର୍ଯ୍ୟଟନ ସ୍ଥଳକୁ ଆହୁରି  ଆକର୍ଷକ କରିବାକୁ ସରକାର ଯୋଜନା କରିଛନ୍ତି ।

ପୁରୀରୁ ପାରାଦୀପ, ଆନ୍ଧ୍ରପ୍ରଦେଶର  ବିଶାଖାପାଟଣା, ପଶ୍ଚିମବଙ୍ଗର ଦୀଘା,  ଆଣ୍ଡାମାନ ନିକୋବର ଦୀପପୁଞ୍ଜ ପ୍ରଭୃତିକୁ  ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କରିବ ।  ଏହି ପ୍ରକଳ୍ପ ଡିପିଆର୍‌ ପ୍ରସ୍ତୁତ ହୋଇଛି ।  ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ  ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପ  ପ୍ରସ୍ତୁତ କରୁଛନ୍ତି । ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ହେବ । ରାଜ୍ୟ  ସରକାର ଏନେଇ ଆସନ୍ତା ୨୭ରୁ ୩୧ ତାରିଖ ମଧ୍ୟରେ ମୁମ୍ବାଇରେ ହେବାକୁ ଯାଉଥିବା  ଇଣ୍ଡିଆନ୍‌ ମେରିଟାଇମ୍‌ ୱିକ୍‌ (ଆଇଏମ୍‌ଡବ୍ଲୁ) ଅବସରରେ ଏମ୍‌ଓୟୁ ସ୍ୱାକ୍ଷର କରିବେ ।  

ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ଭିତ୍ତିଭୂମି ପୁରୀରେ, ଦ୍ୱିତୀୟରେ ପାରାଦୀପଠାରେ  ବିକଶିତ ହେବ । ଆସନ୍ତା ୨ରୁ ତିନି ବର୍ଷ ଭିତରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ  ରହିଥିବା ଏକ ଜାତୀୟ ଗଣମାଧ୍ୟମକୁ ପାରାଦୀପ ପୋର୍ଟ ଅଥରିଟି (ପିପିଏ)  ଚେୟାରମ୍ୟାନ ପିଏଲ୍‌ ହରାନନ୍ଧ୍‌ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏହାର  ଏକମାତ୍ର ଲକ୍ଷ୍ୟ ହେବ । ପ୍ରକଳ୍ପ ହେଲେ ଜାହାଜ ତିଆରି, ମରାମତି, ବନ୍ଦର  ବିକାଶ, ବାଣିଜ୍ୟ ପ୍ରଭୃତିକୁ ବଳ ଦେବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।