ଭୁବନେଶ୍ବର,୭।୧୦ : ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ରାଜ୍ୟରେ ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆକାଉଣ୍ଟରେ ଲେଖିଛନ୍ତି।
ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି। ଏହି ଖବର ସାଧାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଘଟିଥିବା ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ସହ ଭାଇଚାରାର ସହର କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।
ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ରାଜ୍ୟର ବିଜେପି ସରକାର ଅସମର୍ଥ । ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି; ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି ।ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ ବୋଲି ନବୀନ କହିଛନ୍ତି।