ବ୍ରହ୍ମପୁର, ୨୯/୧୦ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସକୁ ସଫଳତା। ବିଜେଡି ନେତା ଶୂନ୍ୟ ଦାସ ଗିରଫ। ସେ ବିହାରୀ ଅପରାଧୀ ଏବଂ ସାର୍ପ ସୁଟର କୁରୁପତି ଭୂୟାଁ ଓ ସହଯୋଗୀ ଚିଣ୍ଟୁ ପ୍ରଧାନଙ୍କୁ ଅଳକାପୁରୀସ୍ଥିତ ଘରେ ଆଶ୍ରୟ ଦେଇଥିଲେ । ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବିହାରୀ ଅପରାଧୀମାନେ ଆସି ଅଳକାପୁରୀରେ ଶୂନ୍ୟ ଦାସଙ୍କ ଘରେ ଥିଲେ । ପୀତବାସଙ୍କୁ ହତ୍ୟା କରିବା ପୂର୍ବରୁ ସାର୍ପ ସୁଟର କୁରୁପତି ଭୂୟାଁ ଓ ସହଯୋଗୀ ଚିଣ୍ଟୁ ପ୍ରଧାନ ଅଳକାପୁରୀରେ ଶୂନ୍ୟ ଦାସଙ୍କ ଘରେ ରହିଥିଲେ । ପୁଲିସ ତଦନ୍ତରେ ପୂର୍ବରୁ ଏ ସବୁ ଜଣାପଡ଼ିଥିଲା କିନ୍ତୁ ଶୂନ୍ୟ ଦାସ ଅପରାଧ ସମ୍ପର୍କରେ ଜାଣି ନ ଥିବା ପ୍ରକାଶ କରିଥିଲେ । ପୀତବାସଙ୍କ ହତ୍ୟା ଯୋଜନା ସମ୍ପର୍କରେ ଶୂନ୍ୟ ଜାଣିଥିବା ପୁଲିସ ତଦନ୍ତରେ ଖୁଲାସା ହେବା ପରେ ତାଙ୍କୁ ଗିରଫ କରାଯାଇଛି । 

ସୋମବାର ଠାରୁ ପୁଲିସ ଶୂନ୍ୟ ଦାସଙ୍କୁ ଉଠାଇ ନେଇ ଜେରା କରିଥିଲା । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ସୁଚିତ୍ରା ପରିଡ଼ା ସୂଚନା ଦେଇଛନ୍ତି । ସେପଟେ ଏହି ମାମଲାରେ ପୁଲିସ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ପୂର୍ବରୁ ରାତି ଅଧରେ ଉଠାଇ ନେଇ ତରବରିଆ ଭାବେ କୋର୍ଟ ଚାଲାଣ କରିଥିଲା । ପୁଲିସ ତାଙ୍କୁ ଘରୁ ନେବା ପରଠୁ କୋର୍ଟ ଚାଲାଣ କରିବା ପର୍ଯ୍ୟନ୍ତ ତାଙ୍କ ଘରଲୋକ ବି କଥା ହୋଇପାରିନଥିଲେ । ବିକ୍ରମଙ୍କ ସହ ତାଙ୍କ ଓକିଲଙ୍କ କଥାବାର୍ତ୍ତା ହୋଇପାରି ନାହାଁନ୍ତି । ତେଣୁ ଜେଲ୍‌ରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିବାକୁ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ, ଚକ୍ରପାଣି ନାହାକ ଓ ଅନ୍ୟମାନେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ରେ ପିଟିସନ୍‌ ଦେଇଛନ୍ତି । ଏହାର ଶୁଣାଣି ପରେ ହିଁ ସ୍ୱତନ୍ତ୍ର ସାକ୍ଷାତକାର ଓ ଆଲୋଚନା ପାଇଁ ସମୟ ମିଳିବ କି ନାହିଁ ଜଣାପଡ଼ିବ । 

ବିକ୍ରମଙ୍କ ପାଇଁ ୫୪ ଜଣ ଆଇନଜୀବୀ କେସ୍‌ ଲଢ଼ିବା ପାଇଁ ୱକାଲତ୍‌ନାମା ଦେଇଛନ୍ତି । ସେପଟେ ପୀତବାସଙ୍କ ସପକ୍ଷରେ କେସ୍‌ ଲଢ଼ିବାକୁ ୱକାଲତ୍‌ରେ ବହୁ ଓକିଲ ଦସ୍ତଖତ କରିଥିବା ଜଣାପଡ଼ିଛି । ପୀତବାସଙ୍କ ଜୁନିୟର ବିରଞ୍ଚି ମହାପାତ୍ରଙ୍କ ସହ ବହୁ ବରିଷ୍ଠ ଆଇନଜୀବୀ ପୀତବାସଙ୍କୁ ନ୍ୟାୟ ଦେବାକୁ କେସ୍‌ ଲଢ଼ିବେ । ପୀତବାସଙ୍କ ପକ୍ଷରୁ କୌଣସି ୱକାଲତ୍‌ନାମା ଦାଖଲ ହୋଇ ନାହିଁ । ପୀତବାସଙ୍କ ହତ୍ୟା ମାମଲାରେ କେହି କେସ୍‌ ଲଢ଼ିବେ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ତେବେ ବିକ୍ରମ ଗିରଫ ପରେ ଏହି ମାମଲାରେ ବହୁ ଓକିଲ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସର ତଦନ୍ତ ଉପରେ ସନ୍ଦେହ କରି ୱକାଲତନାମା ଦାଖଲ କରିଛନ୍ତି । ବହୁ ବରିଷ୍ଠ ଆଇନଜୀବୀ ମଧ୍ୟ ବିକ୍ରମଙ୍କ ପାଇଁ କେସ୍‌ ଲଢ଼ିବାକୁ ରାଜି ହୋଇଛନ୍ତି । ଏହି ମାମଲାରେ ପୁଲିସ ପୂର୍ବରୁ ବିକ୍ରମ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇଙ୍କ ସମେତ ୧୩ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ଗତକାଲି ଶୂନ୍ୟ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅପରାଧୀଙ୍କୁ ସଂଗଠିତ କରିଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁ ଏବେ ବି ଫେରାର୍‌ ଅଛନ୍ତି । ସେମାନଙ୍କ ନିକଟରେ ପୁଲିସ ପହଞ୍ଚି ପାରିନି । ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ପୁଲିସ ସେମାନଙ୍କୁ ଧରିବାକୁ ସମସ୍ତ ପ୍ରକାର ଯୋଜନା ଚଳାଇଛି । ସେପଟେ ପୁଲିସ ଉମା ବିଷୋୟୀଙ୍କ ଗୋଟିଏ କାର୍‌ ଭୁବନେଶ୍ୱରରୁ ଜବତ କରିଛି । ଏହି ଦୁଇ ଜଣ ଧରାପଡ଼ିବା ପରେ ଆହୁରି ଅଧିକ ତଥ୍ୟ ଜଣାପଡ଼ିବ ।