ଭୁବନେଶ୍ୱର, ୧୫/୧୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ଶ୍ରେଣୀ)ର ବାର୍ଷିକ ପରୀକ୍ଷା ଏଏଚ୍‌ଏସ୍‌ଇ ୨୦୨୬ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର ୨୨ରୁ ୩୧ ଯାଏ ଯୁକ୍ତ ଦୁଇ (ଦ୍ୱାଦଶ ଶ୍ରେଣୀ)ର ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ଓ ପ୍ରୋଜେକ୍ଟ ପରୀକ୍ଷା ହେବ । ପ୍ରାକ୍ଟିକାଲ ପରୀକ୍ଷା ୨୦୨୬ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ । ପରୀକ୍ଷା କମିଟିର ନିୟମ ଅନୁଯାୟୀ ଜଣେ ରେଗୁଲାର ପରୀକ୍ଷାର୍ଥୀ ଇଣ୍ଟରନାଲ୍‌ ଓ ପ୍ରୋଜେକ୍ଟରେ ୨୦ ମାର୍କରୁ ୬ ମାର୍କ ଏବଂ ୧୦ ମାର୍କରୁ ୩ ମାର୍କ ରଖିବାକୁ ହେବ । ଏ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୨୨ରୁ ୩୧ ମଧ୍ୟରେ ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗର ନନ୍‌ ପ୍ରାକ୍ଟିକାଲ ବିଷୟର ଇଣ୍ଟରନାଲ୍‌ ପରୀକ୍ଷା ହେବ । ଫୁଲ୍‌ ମାର୍କ ୧୦ ଓ ୨୦ ମାର୍କ ରହିବ । ୪୫ ମିନିଟ୍‌ର ସମୟ ଦିଆଯିବ । ସେହିପରି ୨୦ ମାର୍କର ପ୍ରୋଜେକ୍ଟ ପରୀକ୍ଷା ହେବ । ଏଥିରେ ବାଣିଜ୍ୟ ଷ୍ଟ୍ରିମ୍‌ର ବିଷୟର ପ୍ରୋଜେକ୍ଟ ମୂଲ୍ୟାଙ୍କନ ସହ ଭାଇଭା-ଭୋସ୍‌ ପରୀକ୍ଷା ହେବ । ଧନ୍ଦାମୂଳକ ଶିକ୍ଷାରେ ଯେଉଁମାନଙ୍କର (ଏସିଟି ବିଏସ୍‌ଏମ୍‌) ଥିବ ସେମାନେ ଏହି ପ୍ରୋଜେକ୍ଟ ପରୀକ୍ଷା ଦେବେ । ଏଥିପାଇଁ ପିଲାଙ୍କୁ ୨ ଘଣ୍ଟାର ସମୟ ଦିଆଯିବ । ସେହିପରି ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକରେ ଥିବା ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ୧୫ ତାରିଖ ଯାଏ ହେବ । ଏଥିରେ ୬୦, ୫୦, ୩୦ ମାର୍କର ପ୍ରାକ୍ଟିକାଲ ପାଇଁ ୩ ଘଣ୍ଟାର ସମୟ ଦିଆଯିବ । 

ସେହିପରି ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯିବ । ତେବେ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ଇଣ୍ଟରନାଲ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ ନାହିଁ । ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କଠୁ ପରୀକ୍ଷା ଫି ମଧ୍ୟ ମଗାଯିବ ନାହିଁ । ରେଗୁଲାର ପରୀକ୍ଷାର୍ଥୀ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ହେବାକୁ ଥିବା ଇଣ୍ଟରନାଲ ପରୀକ୍ଷା ଦେବାରେ ଫେଲ୍‌ ହେଲେ ସେମାନଙ୍କୁ ଦ୍ୱିତୀୟ ସ୍ଲଟ୍‌ ତଥା ଜାନୁଆରୀ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସମସ୍ତ ପରୀକ୍ଷା ସିସିଟିଭି କ୍ୟାମେରା ସମ୍ମୁଖରେ ହେବ । ଥିଓରୀ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।