ଭଞ୍ଜନଗର,୧୮/୯ : ଗଞ୍ଜାମ -କନ୍ଧମାଳ ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଅପରାହ୍ନରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ  ଏସଓଜି ଯବାନ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ନାମ ପ୍ରେମ ମାଝି ବୋଲି ସୂଚନା ମିଳିଛି। ଏବେ ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ମେଡିକାଲ ପରିସରରେ ପୁଲିସ ଓ ଗୃପ୍ ଅଫ୍ ଡାକ୍ତର ଆହତ ପ୍ରେମ ମାଝିଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ଏଠାରୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

ଗୁରୁବାର ଅପରାହ୍ନ ୪ଟାରେ ଉଭୟ ଜିଲ୍ଲାର ସୀମାରେ ଏଭଳି ଏକ ଘଟଣା ଘଟିଛି । ଏସ୍ଓଜି ଯବାନଙ୍କ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ଅତର୍କିତ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆ ମାଓ ଗୁଳିରେ ପ୍ରେମ ମାଝି ଗୁରୁତର ହୋଇପଡ଼ିଥିଲେ । ଗୁଳି ତାଙ୍କର ପେଟରେ ବାଜିଛି। ଘଟଣାସ୍ଥଳରୁ ଏସଓଜି ଯବାନ ମାନେ ଗୁରୁତର ପ୍ରେମ ମାଝିଙ୍କୁ ସେଠାରୁ ଉଠାଇ ଆଣି ଇନ୍ଦ୍ରଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଆଉ ମେଡିକାଲରେ ଭର୍ତ୍ତି କରି ସେମାନେ ସେଠାରୁ ଘଟଣା ସ୍ଥଳକୁ ଫେରି ଯାଇଥିଲେ। ପରେ ରାଇକିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ସେଠାରୁ ବୋଲେରୋ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ଆଣିବା ବାଟରେ ଭଞ୍ଜନଗରରୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯାଇ ରାସ୍ତାରୁ ଆହତ ପ୍ରେମ ମାଝିଙ୍କୁ ଉଠାଇ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।