​​​​​​​ଭୁବନେଶ୍ବର,୬।୯ :  ୨୦ ହଜାର ଟଙ୍କା ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏସଆଇ।   ଅଭିଯୁକ୍ତ ଜଣକ ହେଲେ ବାଙ୍କୀ ଥାନା ଅଧୀନ ସୁବର୍ଣ୍ଣପୁର ଆଉଟ ପୋଷ୍ଟର ଏସଆଇ ପ୍ରସନ୍ନ କୁମାର ମୋହାଲି।

ଏକ ଇଟା ଫ୍ୟାକ୍ଟ୍ରିକୁ କିଛି ଦୁର୍ବୃତ୍ତ ପୋଡି  ଦେଇଥିଲେ।   ଏ ନେଇ  ଇଟା ଫ୍ୟାକ୍ଟ୍ରି ମାଲିକ ଥାନାରେ ଏତଲା ଦେଇଥିଲେ। ବୀମା ପାଇଁ ଆବେଦନ କରିବା ପାଇଁ ପୂର୍ବରୁ ପଞ୍ଜିକୃତ ମାମଲାଏଫଆଇଆର କପି ଦେବା ପାଇଁ ଏସଆଇ ପ୍ରସନ୍ନଙ୍କୁ  ଅଭିଯୋଗକାରୀ କହିଥିଲେ। ଏଥିପାଇଁ ଏସଆଇ ପ୍ରସନ୍ନ କୁମାର ମୋହାଲି ଅଭିଯୋଗକାରୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ  ଶନିବାର ପ୍ରସନ୍ନ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ପ୍ରସନ୍ନଙ୍କ ନିକଟରୁ ୨୦ ହଜାର  ଟଙ୍କା  ଭିଜିଲାନ୍ସ ଟିମ୍ ଜବତ  କରିଛି।