ଭୁବନେଶ୍ବର,୧।୧୧ ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା। ଏହି କେଳେଙ୍କାରୀ  ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ।  

ରାଜ୍ୟ ପୁଲିସ  ଏସ୍‌ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ  ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି  କରାଯାଇଥିଲା । ମାମଲାରେ ଫେରାର୍‌ ଥିବା ଦୁଇ ମାଷ୍ଟରମାଇଣ୍ଡ୍‌ ଗଞ୍ଜାମର ଶଙ୍କର ପୃଷ୍ଟି ଓ କଟକ ବାଙ୍କୀ କଳାପଥରର ମୁନା ମହାନ୍ତି ନାଁରେ ଏହି ସର୍କୁଲାର ଜାରି  କରାଯାଇଥିଲା ।  ପୂର୍ବରୁ  ମୁନା ଏକ ଫାର୍ମ ହାଉସରୁ  ଧରାପଡିଥିବା ବେଳେ  ବର୍ତ୍ତମାନ ଶଙ୍କର ଧରାପଡିଛି।

ସୂଚନାଯୋଗ୍ୟ ଯେ ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି  ଦୁର୍ନୀତି ପାଇଁ ଯୋଜନା କରିଥିଲେ । ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ପୂର୍ବରୁ ୧୧୯ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ ୫ ଜଣ ଦଲାଲ ରହିଥିଲେତେବେ ପରୀକ୍ଷାର୍ଥୀ ୧୧୪ ଜଣ ଜାମିନରେ ଆସିଛନ୍ତି। ଅନ୍ୟପକ୍ଷରେ ପୁଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।