ବ୍ରହ୍ମପୁର,୦୩/୧୦: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା । ଆଉ ୩ ଜଣଙ୍କୁ ଉଠାଇନେଲା କ୍ରାଇବ୍ରାଞ୍ଚ ଟିମ୍ । ସେମାନଙ୍କୁ ଗୋଳନ୍ଥରା ଥାନାରେ ରଖି ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନାୟତୋଷ ମିଶ୍ର। ମାରାଥନ ଜେରା ପରେ ସେ ଭୁବନେଶ୍ୱର ଫେରିଛନ୍ତି ।
ସୂଚନା ମୁତାବକ, ଓଡିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ୩ଜଣ ଦଲାଲ ଓ ୧୧୪ ଜଣ ପରୀକ୍ଷାର୍ଥୀ ବ୍ରହ୍ମପୁର ଜେଲରେ ଥିବାବେଳେ ବେଳେ ଆଉ ୩ ଜଣଙ୍କୁ ଉଠାଇଛି କ୍ରାଇମବ୍ରାଞ୍ଚ। ଏହି ରାକେଟର ଲମ୍ବା ଚେର ଥିବା ଜଣାପଡିଛି। କେବଳ ପୁଲିସ ନୁହେଁ ଅନ୍ୟ ସରକାରୀ ନିଯୁକ୍ତି ରାକେଟରେ ବି ଏମାନଙ୍କ ହାତ ରହିଥିବା ତଦନ୍ତରୁ ଜଣାପଡିଛି। ସେପଟେ ଆଉ ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ପୁଲିସ । ବ୍ରହ୍ମପୁର ଗୋଳନ୍ଥରା ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ କ୍ରାଇମ୍ ବ୍ରାଞ୍ଚ ଏହାର ତଦନ୍ତ କରୁଛି । ଜେଲରେ ଥିବା ଅଭିଯୁକ୍ତ ସହ ସାକ୍ଷାତ କରିବାକୁ ଅଭିଭାବକଙ୍କ ଭିଡ଼ ହୋଇଛି। ଏହି ରାକେଟ ପଛରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି ତାହାର ବି ଅନୁସନ୍ଧାନ ଜାରି ରହିଛି। ତେବେ ଗିରଫ ହୋଇଥିବା ପରୀକ୍ଷାର୍ଥୀଙ୍କ ଭିତରେ କିଛି ସରକାରୀ ଚାକିରିଆଙ୍କ ପୁଅ ଥିବା ଜଣାପଡିଛି। ଜଣେ ଅବସରପ୍ରାପ୍ତ ଜେଲ ଡିଆଇଜିଙ୍କ ପୁଅ ବି ଏହି ତାଲିକାରେ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।
ଗୁପ୍ତ ସୂଚନା ଆଧାରରେ ଗତ ୨୯ ତାରିଖ ରାତିରେ ବ୍ରହ୍ମପୁର ପୁଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏ.ସି. ସ୍ଲିପର୍ ବସ୍କୁ ଅଟକ ରଖିଥିଲା। ବ୍ରହ୍ମପୁର ଏସପି ଡ଼ା. ସରବଣା ବିବେକ ଏମଙ୍କ ନେତୃତ୍ୱରେ ତିନିଟି ଟିମ୍ ଶ୍ରୀକାକୁଲମରେ ପହଞ୍ଚି ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ। ଯାଞ୍ଚରେ ପରେ ଜଣାପଡ଼ିଥିଲା ଯେ ସେଥିରେ ମୋଟ୍ ୧୧୭ ଯାତ୍ରୀ ଥିଲେ, ଯେଉଁଥିରୁ ୧୧୪ ଜଣ OPRB ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରକାଶ ଥାଉକି, ସେମାନେ ଭୁବନେଶ୍ୱରରୁ ବସ୍ରେ ଚଢ଼ି ବିଜୟନଗରମକୁ ଯାଉଥିଲେ। ସେଠାରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବା ସେମାନଙ୍କ ଯୋଜନା ଥିଲା। ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଅନ୍ୟ ୧୫ ଲକ୍ଷ।