ରାସଗୋବିନ୍ଦପୁର, ୨୮/୧୦: ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୧୬ ଗୋରୁ ଉଦ୍ଧାର। ୫ ଅଭିଯୁକ୍ତ ଥାନାରେ ଅଟକ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପାଟ୍ରୋଲିଂ କରୁଥିବା ବେଳେ ଏହି ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ଗୋରୁଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି।
ସୂଚନାନୁଯାୟୀ, ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପାଟ୍ରୋଲିଂ କରୁଥିବା ବେଳେ ସୁବାନଡିହ-କୃଷ୍ଣଚନ୍ଦ୍ରପୁର ରାସ୍ତାରେ ୧୬ଟି ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଏହି ସବୁ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଜାଣି ୫ ଜଣ ଗାଈ ଖେଦାଳିଙ୍କୁ ଅଟକ ରଖିଛନ୍ତି। ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ୫ ଅଭିଯୁକ୍ତଙ୍କ ଠାରୁ କିଛି ରସିଦ୍ ଜବତ ହୋଇଛି। ପ୍ରତି ରସିଦରେ ଗୋରୁଙ୍କ ମୂଲ୍ୟ ୧୦ ହଜାର ବୋଲି ଲେଖାଯାଇଛି। ଏଥିରେ ବେତନଟୀ ନିୟନ୍ତ୍ରିତ ବଜାର କମିଟି, ଖୁଣ୍ଟା ଗୋରୁ ହାଟର ଉଲ୍ଲେଖ ଅଛି। ତେଣୁ ଆରଏମସିକୁ ମଧ୍ୟ ତଦନ୍ତ ପରିସର ପରିସରଭୁକ୍ତ କରାଯିବ ବୋଲି ଆଇଆଇସି କହିଛନ୍ତି। ଅଟକ ଥିବା ବ୍ୟକ୍ତିମାନେ ପଶ୍ଚିମବଙ୍ଗର ସୁରୁ ଟୁଡୁ, ପିଣ୍ଟୁ ଦଣ୍ଡପାଟ,ସୁରେନ୍ଦ୍ର ଦେହୁରୀ, ସଚିନ୍ଦ୍ର ସି, ପ୍ରେମାନନ୍ଦ ସୋରେନ ବୋଲି ଜଣାପଡିଛି।
ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ସୀମା ଖୁଣ୍ଟା ସ୍ଥିତ ଗୋରୁ ହାଟରୁ ଗୋରୁଗାଈ କିଣି ଗୋମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଗରିବ ଶ୍ରେଣୀର ଲୋକଙ୍କୁ ହାତକରି ବେପାର କରୁଛନ୍ତି। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଗାଡିରେ ନ ନେଇ ଗଳା ବାଟରେ ସୀମା ପାର୍ କରାଉଛନ୍ତି। କେତେବେଳେ ମୋରଡ଼ା ଥାନା ତ କେତେବେଳେ ଶୁଳିଆପଦା ଥାନା ତ ଆଉ କେତେବେଳେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବିଭିନ୍ନ ଗଳା ରାସ୍ତାରେ ସ୍ଥାନୀୟ ଲୋକେ ଗୋରୁଙ୍କୁ ଚଲାଇ ଚଲାଇ ନେଇ ପଶ୍ଚିମବଙ୍ଗରେ ପହଞ୍ଚାଇ ଦେଉଛନ୍ତି। ଆଉ କିଛି ଲୋକ ତାଙ୍କୁ ସୁରକ୍ଷା ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ମଜୁରୀ ବାବଦରେ ୫୦୦ ରୁ ୭୦୦ ଟଙ୍କା ଲେଖାଏଁ ଦିଆଯାଉଛି।