ନୂଆଦିଲ୍ଲୀ: କୋଲଡ୍ରିଫ୍ କଫ୍ ସିରପ୍ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ ସୋନିଙ୍କ ଜାମିନ ଆବେଦନକୁ ମଧ୍ୟପ୍ରଦେଶର ଏକ ଜିଲ୍ଲା କୋର୍ଟ ନାମଞ୍ଜୁର କରିଦେଇଛି। ଏନେଇ ସୂଚନା ଦେଇ ପୋଲିସ କୋର୍ଟକୁ କହିଛି ଯେ ସେ ଔଷଧ ଲେଖିବା ପାଇଁ ଔଷଧ କମ୍ପାନୀଠାରୁ ୧୦% କମିଶନ ପାଇଥିବା ସ୍ୱୀକାର କରିଛନ୍ତି।

ପୋଲିସର ଦେଇଥିବା ସୂଚନା ଅନୁଯାୟୀ, ଡାକ୍ତର ସୋନି ଏବଂ ଅନ୍ୟ କେତେକ ଡାକ୍ତର ନିଜ ପାଖକୁ ଆସୁଥିବା ପାଲାମାନଙ୍କ ପାଇଁ ଏହି ସିରପ୍ ଲେଖୁଥିଲେ। ତେବେ ଏହି ଔଷଧ ଖାଉଥିବା ପିଲାମାନେ ଗୁରୁତର ପରିସ୍ରା ପ୍ରତିରୋଧ(ବହୁମୁତ୍ର) ଏବଂ ବୃକକ୍ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ଥିବା ଲକ୍ଷ୍ୟ କରିବା ପରେ ମଧ୍ୟ ସିରପ୍ ଲେଖିବା ଜାରି ରଖିଥିଲେ। ତଦନ୍ତକାରୀ ଦଳମାନେ କୋର୍ଟକୁ ସୂଚନା ଦେଇ କହିଛନ୍ତି ଯେ ଯୁବ ରୋଗୀଙ୍କ ଉପରେ ଏହି ଔଷଧର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ପ୍ରମାଣ ତଲାସ ଜାରି ରହିଛି।

ତେବେ ପୋଲିସର ପଚରାଉଚରା ସମୟରେ ଡାକ୍ତର ଜଣକ ଔଷଧର ପ୍ରଚାର ପାଇଁ କମ୍ପାନୀରୁ ୧୦% କମିଶନ ନେଇଥିବା ସ୍ୱୀକାର କରିଛନ୍ତି। କୋର୍ଟକୁ ଦିଆଯାଇଥିବା ତଥ୍ୟରେ କୋଲଡ୍ରିଫ୍ ଔଷଧ ବ୍ୟବହାର କରିବା ପରେ ଅତି କମରେ ସାତ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ,  ଆଉ ଛଅ ଜଣ ପିଲା ନାଗପୁରର ଏକ ହସ୍ପିଟାଲରେ କିଡନୀ ଫେଲ୍ୟୁଅର ପାଇଁ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି।

ତଦନ୍ତରୁ ଜଣାପଡିଛି ଯେ ଡାକ୍ତର ସୋନି ୨୪ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ଅନେକ ପିଲାଙ୍କୁ ଏହି ଔଷଧ ଲେଖିଥିଲେ। ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଔଷଧ ଏତେ ଛୋଟ ରୋଗୀଙ୍କ ପାଇଁ ସୁପାରିଶ କରାଯାଇ ନାହେଁ ବୋଲି ତାଙ୍କ ନିକଟରେ ତଥ୍ୟ ରହିଥିଲା।

ପୋଲିସ ରେକର୍ଡ ମୁତାବକ, ଏହି କଫ୍ ସିରପ୍ ଯୋଗୁଁ ପ୍ରଥମ ଶିଶୁ ମୃତ୍ୟୁ ୨୯ ଅଗଷ୍ଟରେ ରିପୋର୍ଟ କରାଯାଇଥିଲା ଏହି ଘଟଣାରେ ଜଣେ ଚାରି ବର୍ଷର ଶିଶୁକୁ କାଶ ପାଇଁ କୋଲଡ୍ରିଫ୍ ଦେବା ପରେ ତାର ମୃତ୍ୟୁ ହୋଇଥିଲା। ସେହିଭଳି ଅନ୍ୟ ଏକ ଶିଶୁ, ଏକ ତିନି ବର୍ଷର ଝିଅ ମଧ୍ୟ ଗତ ସେପ୍ଟେମ୍ବରରେ ସମାନ ଲକ୍ଷଣ ସହିତ ମୃତ୍ୟୁବରଣ କରିଥିଲେ। ଶିଶୁପୁତ୍ରଟିର ପରିସ୍ରା ବନ୍ଦ ହୋଇଯାଇଥିବା ସହ ଝିଅଟିର କିଡନି ଫେଲ ହୋଇଯାଇଥିଲା। ଏହି ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଅଲୋଡନ ସୃଷ୍ଟି ହୋଇଥିଲା।

ଆପଣଙ୍କୁ ଜଣାଇରଖୁ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୨୦୨୩ରେ ପ୍ରକାଶ ପାଇଥିବା ଗାଇଡଲାଇନ ଅନୁସାରେ, 4 ବର୍ଷରୁ କମ ଶିଶୁମାନଙ୍କ ପାଇଁ କୋଲଡରିଫ୍ ଭଳି ଔଷଧ ଲେଖିବା ସମ୍ପୂର୍ଣ୍ଣ ବେଆଇନ। ଏହି ସବୁ ନିୟମକୁ ଖାତିର ନକରି ଚାକ୍ତର ସୋନି କମ ବୟସର ଶିଶୁମାନଙ୍କ ଲାଗି ଏହି ଔଷଧ ପ୍ରେସକ୍ରାଇବ କରିଥିଲେ। ଯେଉଁଥିପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଡାକ୍ତର ସୋନିଙ୍କ ତରଫରୁ ମାମଲା ଲଢୁଥିବା ଓକିଲ କୋର୍ଟରେ ଯୁକ୍ତି ଦେଇ କହିଛନ୍ତି ଯେ, ବିଭିନ୍ନ ଧରଣର ଥଣ୍ଡା ଓ କାଶ ପାଇଁ ଏହି ଔଷଧ ଦୀର୍ଘ ୧୫ ବର୍ଷ ଧରି ବ୍ୟବହାର କରାଯାଇଆସୁଛି। ତେଣୁ ସେ ଏହି ଔଷଧକୁ ପ୍ରେସକ୍ରାଇବ କରିଥିଲେ। ଏହି ଔଷଧର ନିର୍ମାଣ ଓ ଗୁଣବତ୍ତା ପାଇଁ ଡାକ୍ତର ସୋନି ଦାୟୀ ନୁହନ୍ତି ବୋଲି ତାଙ୍କ ଓକିଲ କୋର୍ଟରେ ଯୁକ୍ତି ରଖିଥିଲେ।

ତଥାପି କୋର୍ଟ ଡାକ୍ତର ସୋନିଙ୍କ ଦ୍ୱାରା ଜାରି କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ 4ଟି ମାମଲା ଦାୟର କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି।