ଫିରିଙ୍ଗିଆ,୧୦/୧୦ : ଗଞ୍ଜେଇ ବୋଝେଇ କାରକୁ ପୋଲିସ ଗାଡ଼ି ଗୋଡ଼ାଉ ଥିଲାବେଳେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଇ ଫେରାର ମାରିଲା ପୋଲିସର ପିସିଆର ଭ୍ୟାନ୍ I ଫଳରେ ଅଟୋ ସହ ରାସ୍ତାକଡ଼କୁ ଛିଟିକି ପଡ଼ିଲା ଅଟୋ I ଏହି ଘଟଣାରେ ଅଟୋ ଚାଳକ ଗୁରୁତର ହୋଇଥିବାବେଳେ ଅଟୋରେ ବସିଥିବା ଦୁଇ ମହିଳା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ I ଘଟଣାଟି ଘଟିଛି ଫିରିଙ୍ଗିଆ ଥାନା ଅଧୀନରେ ଥିବା ଫୁଲବାଣୀଠାରୁ ବାଲିଗୁଡା ଯାଇଥିବା ମୁଖ୍ୟରାସ୍ତାର ମାଶ୍ରୀପଡା ଛକରେ I ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ରାସ୍ତାରୋକ ମଧ୍ୟ କରାଯାଇଥିଲା I ପରେ ଫୁଲବାଣି ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ହଟିଲା ରାସ୍ତାରୋକ I
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଗାଁର କରୁଣାକର ନାଏକ ନାମକ ଜଣେ ବ୍ୟକ୍ତି ନିଜ ଅଟୋରେ ଫିରିଙ୍ଗିଆଠାରୁ କାମ ସାରି ଫେରୁଥିବା ସମୟରେ ମାଶ୍ରୀପଡା ଛକରେ ଅଟୋକୁ ଠିଆ କରିଥିଲେ I ଠିକ ଏହି ସମୟରେ ଫିରିଙ୍ଗିଆ ଥାନାର ପିସିଆର ଭ୍ୟାନ ଗଞ୍ଜେଇ ଭର୍ତ୍ତି କାରକୁ ପିଛା କରୁଥିବାବେଳେ ଡ୍ରାଇଭର ବେପରୁଆ ଗାଡ଼ି ଚଲାଇବା ଯୋଗୁଁ ପୋଲିସ ଭ୍ୟାନଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅଟୋକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା I ଫଳରେ ଅଟୋଟି ରାସ୍ତାରୁ ପ୍ରାୟ କିଛି ବାଟ ଦୂରକୁ ଛିଟିକି ପଡ଼ିଥିଲା I ଯାହାଦ୍ୱାରା ଅଟୋ ଡ୍ରାଇଭର ଗୁରୁତର ହେବା ସହ ଅଟୋରେ ବସିଥିବା ଦୁଇ ଜଣ ମହିଳା ଯାତ୍ରୀ ଅଳ୍ପକେ ବର୍ତ୍ତ ଯାଇଥିଲେ I ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ ଆରମ୍ଭ କରି ଦେଇଥିଲେ I ପ୍ରାୟ କିଛି ସମୟ ଧରି ରାସ୍ତା ରୋକ ପରେ ଥାନା ଅଧିକାରୀ ଆହତ ଅଟୋ ଡ୍ରାଇଭରଙ୍କ ଚିକିତ୍ସା ଖର୍ଚ୍ଚ ସହ ଭାଙ୍ଗି ଯାଇଥିବା ଅଟୋର ମରାମତି କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଫିରିଙ୍ଗିଆ ଥାନା ଅଧିକାରୀ ଫୁଲବାଣୀ ମେଡ଼ିକାଲ ଯାଇ ସନ୍ଧ୍ୟାରେ ଦେଖି ବୁଝିଥିଲେ । ଅନ୍ୟପଟେ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ହମ୍ସ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି I