ବୌଦ୍ଧ, ୧୭/୧୦ : ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ । ନକ୍ସଲ ଧରାଇବା ପାଇଁ ପୁରସ୍କାର ଘୋଷଣା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଲା ଏଭଳି ପୋଷ୍ଟର। ଟପ୍ ମାଓ ନେତା ଗଣେଶ ଉଇକେକୁ ଧରାଇ ଦେବାକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ଏହା ସହ ୫ ହାର୍ଡକୋର୍ ମାଓବାଦୀଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ମିଳିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। KKBN ସଙ୍ଗଠନର ମୋଟ୍ ୧୦ ଜଣ ମାଓବାଦୀଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଯେକୌଣସି ବ୍ୟକ୍ତି ଏହି ହାର୍ଡକୋର୍ ନକ୍ସଲଙ୍କ ବିଷୟରେ ଖବର ଦେବା ପାଇଁ ୯୪୩୭୬୪୩୮୩୯ ମୋବାଇଲ ନଂରେ ଯୋଗାଯୋଗ କରିବାକୁ କୁହାଯାଇଛି। ବୌଦ୍ଧ ଜିଲ୍ଲାର ସିଗାଡି, ତିଲପଙ୍ଗା, ଉଡାମୁଣ୍ଡା, ମାତାଗାଡୁ, ଖଣ୍ଡିଖନପା, ଲୁହାରପଡ଼ା, ନାଳିକୁମ୍ପା, ପଲମ ଆଦି ୯ରୁ ଉର୍ଦ୍ଧ୍ଵ ସ୍ଥାନରେ ପୋଷ୍ଟର ଲାଗିଛି। ଏହି ସମସ୍ତ ସ୍ଥାନ ବୌଦ୍ଧ, କଣ୍ଟାମାଳ, ବାଉଁଶୁଣି, ମନମୁଣ୍ଡା ଥାନା ଅଞ୍ଚଳରେ ରହିଛି ।

a

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ମୂଳପୋଛ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏସପି ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ମାଓପ୍ରବଣ ସ୍ଥାନ ଗୁଡିକରେ ପୋଷ୍ଟର ମରାଯାଇଛି । ଯେଉଁଥିରେ ମାଓବାଦୀଙ୍କୁ ଧରାଇବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି । ଅନ୍ୟପଟେ ନକ୍ସଲଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ଆହ୍ଵାନ କରାଯାଇଛି । ଅସ୍ତ୍ର ଛାଡ଼ିଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। 

v​​​​​​​