ଭୁବନେଶ୍ୱର ୧୧/୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହଲଚଲ। ବିଜେଡି-ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। କେଉଁ ଦଳ କାହାକୁ କରିବେ ପ୍ରାର୍ଥୀ। ଦେଖିବାକୁ ମିଳିଲାଣି ଭିନ୍ନ ରାଜନୈତିକ ସମୀକରଣ। ଚାଲିଛି ଦଳ ଅଦଳବଦଳ। ଏକଦା ବିଜେଡି ନେତା ଥିଲେ ପ୍ରସନ୍ନ ପାଢୀ । ସବୁବେଳେ ବିଜେଡିରୁ ଟିକେଟ ଆଶାୟୀ ରହିଥିଲେ । ହେଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକେଟ ଦେଉଥିଲା ବିଜେଡି । ତେଣୁ ୨୦୧୪ରେ ସାଧାରଣ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିଲେ ପ୍ରସନ୍ନ ପାଢୀ । ଏବେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ଏକ ପ୍ରକାର ସ୍ପଷ୍ଟ ହେବା ପରେ ପ୍ରସନ୍ନ ବିଜେପି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହୋଇଛି। କୁହାଯାଉଛି ପ୍ରସନ୍ନ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି।

ସେପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିଛନ୍ତି ।  ଖୁବଶୀଘ୍ର ବିଜେଡି ପ୍ରାର୍ଥୀ ଘୋଷଣା କରିବ । ମଝିରେ ଜୟଙ୍କୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଘୂରି ବୁଲିଥିଲା। ଜୟ ନୂଆପଡ଼ା ବାହାରେ ଥିବାବେଳେ ଶୁକ୍ରବାର ବିଜେଡି ପଦଯାତ୍ରାରେ ତାଙ୍କ ମା’ ଓ ପତ୍ନୀଙ୍କ ସହ ସାମିଲ ହୋଇଥିଲେ । ଜୟ ମଧ୍ୟ ବିଭିନ୍ନ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଉପନିର୍ବାଚନ ଘୋଷଣା ପରଠାରୁ ଜୟ ବିଜେଡି ସମର୍ଥକଙ୍କ ସହ ନିର୍ବାଚନମଣ୍ଡଳୀରେ ବୁଲିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଜୟ ନିଜ ସମର୍ଥକଙ୍କ ସହ ବିଜେପି​‌ରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଅକଳରେ ପଡ଼ିଛି ବିଜେଡ଼ି। ସେପଟେ ଜୟଙ୍କୁ ବିଜେପି ଶିବିର ଆଡ଼କୁ ଢଳୁଥିବାର ଦେଖି ପ୍ରସନ୍ନ ପାଢୀଙ୍କ ଘର ବାହୁଡ଼ା ହେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେଡି କେଉଁ କାର୍ଡ ଖେଳିବ, ଆଉ ଟିକଟ ପାଇଁ ଆଉ କାହାକୁ ବାଛିବ । ଏବେ ନବୀନ ନିବାସ ନିଷ୍ପତ୍ତିକୁ କେବଳ ଅପେକ୍ଷା। 

ଅପର ପକ୍ଷରେ ନୂଆପଡ଼ା ରେସରେ କଂଗ୍ରେସ ଆଗରେ ଦୌଡ଼ୁଛି। ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା ପରେ ଖୋଦ୍‌ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ାରେ ୩ ଦିନ ଧରି ଡେରା ପକାଇଥିଲେ । ଘାସିରାମ ବି ନିର୍ବାଚନମଣ୍ଡଳୀ ଖେଦିଲେଣି । ଗତ ନିର୍ବାଚନରେ ନିର୍ଦ୍ଦଳୀୟ ଲଢ଼ି ଘାସିରାମ ୫୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୧୯ରେ କଂଗ୍ରେସ ଟିକଟରେ ଲଢ଼ି ଘାସିରାମ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୨୦୧୪ରେ ତୃତୀୟ ସ୍ଥାନରେ ଥିଲେ । ନିଜ ଅଭିଜ୍ଞତା ବଳରେ ଘାସିରାମ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।