ଭୁବନେଶ୍ୱର,୧୩/୦୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ମିଜୋରାମର ବୈରବି-ସୈରାଙ୍ଗା  ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର  ଶୁଭାରମ୍ଭ କରିବେ । ଏଥି ସହିତ ମିଜୋରାମ ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ  ଟ୍ରେନ ଚଳାଚଳ କରିବ । ଏହାର ଅବ୍ୟବହିତ ପୂର୍ବରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈରବି-ସୈରାଙ୍ଗ ରେଳ ଲାଇନର କ୍ଷେତ୍ରୀୟ ନିରୀକ୍ଷଣ କରିଛନ୍ତି । ଶ୍ରୀ  ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ  ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ  ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ବୈଷ୍ଣବ କହିଲେ,  ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ  ଏକ୍ସପ୍ରେସ, ସୈରାଙ୍ଗରୁ କୋଲ୍‌କାତାକୁ ୩ ସପ୍ତାହକୁ  ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ  ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ  କରିବ । ୧୪ ତାରିଖଠାରୁ ମାଲ୍‌ବାହୀ ଟ୍ରେନ ଏହି ରୁଟ୍‌ରେ ଗଡ଼ିବ । ବହୁତ ଆହ୍ୱାନ ସାମ୍ନା କରି ନିର୍ମାଣକାରୀ ଦଳ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିଛନ୍ତି । ଏହି ରେଳ ଲାଇନ ଦ୍ୱାରା  ଉକ୍ତ ଅଞ୍ଚଳର ଲୋକମାନେ ବେଶ ଲାଭବାନ ହେବେ ।  ସିମେଣ୍ଟ, ଷ୍ଟିଲ୍‌, ଘରୋଇ ସାମଗ୍ରୀ ପରିବହନ ଏହା ଦ୍ୱାରା  ତ୍ୱରାନ୍ୱିତ ହେବ । ମିଜୋରାମରୁ ଦେଶର ଅନ୍ୟ ସ୍ଥାନକୁ ଜୈବିକ, ତାଜା ପନିପରିବା, ଫୁଲ, ଡ୍ରାଗନ ଫଳ ପରିବହନ ହେବ । ଏହି ରେଳଲାଇନ ପର୍ଯ୍ୟଟନର ନୂଆ ସମ୍ଭାବନା  ଯୋଡ଼ିବ । ଏହି ପ୍ରକଳ୍ପ ପାଇଁ ବଜେଟରେ ଆବଣ୍ଟନ ୨  ହଜାର କୋଟିରୁ ୧୦ ହଜାର କୋଟିକୁ ବଢ଼ିଛି । ବୈରବିରୁ  ସୈରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ  ନିର୍ମାଣ ହୋଇଛି । ଯେଉଁଥିରୁ କୁତବ ମିନାରଠାରୁ ଉଚ୍ଚ  ସେତୁ ସାମିଲ । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର  ପ୍ରତୀକ ବୋଲି ଶ୍ରୀ ବୈଷ୍ଣବ ଉଲ୍ଳେଖ କରିଛନ୍ତି ।