ନୂଆଦିଲ୍ଲୀ, ୨୨/୦୯: ଆଜି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ସେ ଟଙ୍କାର ୧୩୫,୧୨୭ କୋଟି ବିକାଶମୂଳକ ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରକୁ ଏହା ମୋଦିଙ୍କର ପ୍ରଥମ ଗସ୍ତ ହେବ । ଏଠାରେ ସେ ପ୍ରାୟ ୩,୭୦୦ କୋଟି ଟଙ୍କାର ଦୁଇଟି ହାଇଡ୍ରୋପାୱାର ପ୍ରକଳ୍ପ ହିଓ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଏବଂ ଟାଟୋ-୧ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟର ଶିଳାନ୍ୟାସ କରିବେ । ତୱାଙ୍ଗରେ ପ୍ରାୟ ୯,୮୨୦ ଫୁଟ ଉଚ୍ଚତାରେ ଏକ ଆର୍ଟ କନ୍ଭେନ୍ସନ ସେଣ୍ଟର ଲାଗି ଶିଳାନ୍ୟାସ କରିବେ ।
ଏଥିସହ ଯୋଗାଯୋଗ, ସ୍ୱାସ୍ଥ୍ୟ, ଅଗ୍ନି ସୁରକ୍ଷା, ମହିଳା ବିକାଶ ଆଦି ସମ୍ବନ୍ଧିତ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବେ । ପରେ ସେ ତ୍ରିପୁରା ଗସ୍ତ କରିବେ । ତ୍ରିପୁରାର ମାତାବରିଠାରେ ପ୍ରସାଦ ଯୋଜନା ଅଧୀନରେ ମାତା ତ୍ରିପୁରା ସୁନ୍ଦରୀ ଟେମ୍ପଲ କମ୍ପେ୍ଲକ୍ସ ଉଦ୍ଘାଟନ କରିବେ । ୫୧ ଶକ୍ତିପୀଠ ମଧ୍ୟରୁ ଏହି ପୁରାତନ ମନ୍ଦିର ଅନ୍ୟତମ । ଏହା ଦ୍ୱାରା ଧାର୍ମିକ ପର୍ଯ୍ୟଟନ ବଢ଼ିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ ବୋଲି ଆଶା କରାଯାଇଛି ।