ନୂଆଦିଲ୍ଲୀ ୧୨/୧୦: ଆଜମଗଡ଼ ମଣ୍ଡଳୀୟ ଜେଲରେ ବନ୍ଦୀ ଜଣେ ହତ୍ୟା ଅଭିଯୁକ୍ତଙ୍କ କାଣ୍ଡ ଏବେ ଖବରର ଶିରୋନାମା ହୋଇଛି । ଜାମିନରେ ମୁକ୍ତ ହେବା ପରେ ସେ ଜେଲ୍ର ଚେକ୍ବୁକ୍ ଚୋରି କଲେ । ଏହା ଜରିଆରେ ବ୍ୟାଙ୍କ୍ ଖାତାରୁ ୩୦ ଲକ୍ଷ ଟଙ୍କା ଉଡ଼ାଇନେଲେ । ଜେଲ ଅଧୀକ୍ଷକ ବ୍ୟାଙ୍କ୍ ଖାତାରୁ ୨ ଲକ୍ଷ ୬୦ ହଜାର ଟଙ୍କା ଉଠାଯାଇଥିବା ଦେଖିବା ପରେ ମାମଲାଟି ସାମ୍ନାକୁ ଆସିଲା । ଘଟଣା ଜେଲ ପ୍ରଶାସନର ନିଦ ହଜାଇ ଦେଇଛି ।
ରିପୋର୍ଟ ଅନୁସାରେ, ଜମୁଆ ଶାହଗଡ଼ ଥାନା ଅଧୀନସ୍ଥ ବିଲରିୟାଗଞ୍ଜ ବାସିନ୍ଦା ରାମଜିତ ଯାଦବ ଓରଫ ସଞ୍ଜୟଙ୍କୁ ୨୪ ଫେବ୍ରୁଆରୀ, ୨୦୨୩ରେ ପତ୍ନୀଙ୍କ ହତ୍ୟା ମାମଲାରେ ଜେଲଦଣ୍ଡ ହୋଇଥିଲା । ମେ’ ୨୦, ୨୦୨୪ରେ ଜାମିନରେ ମୁକୁଳିବା ସମୟରେ ସେ ଜେଲର କାନାଡ଼ା ବ୍ୟାଙ୍କ୍ ଚେକ୍ବୁକ୍ ଚୋରି କରିନେଲେ । ଜେଲ୍ ଅଧୀକ୍ଷକ ଚେକ୍ବୁକ୍ ସଂଚାଳନ କରୁଥିଲେ । ଜେଲରୁ ମୁକୁଳିବାର ପର ଦିନ- ମେ’ ୨୧ ତାରିଖ ସଞ୍ଜୟ ନିଜକୁ ଜେଲର ଠିକାଦାର କହି ବ୍ୟାଙ୍କ୍ରୁ ୧୦ ହଜାର ଟଙ୍କା ଉଠାଇଲେ । ଏହା ପରେ ୨୨ ତାରିଖ ୫୦ ହଜାର ଟଙ୍କା, ୪ ଦିନ ପରେ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇଲେ । ଏହିଭଳି ଭାବେ ଅନେକ କିସ୍ତିରେ ମୋଟ୍ ୩୦ ଲକ୍ଷ ଟଙ୍କା ଉଠାଇନେଲେ । ଏହି ଠକେଇ ବିଷୟରେ ଦୀର୍ଘ ସମୟ ଧରି କେହି ଜାଣିପାରିଲେ ନାହିଁ ।
ଗତ ସେପ୍ଟେମ୍ବର ୨୨ ତାରିଖରେ ୨ ଲକ୍ଷ ୬୦ ହଜାର ଟଙ୍କା ଉଠାଯିବା ପରେ ଜେଲ ଅଧୀକ୍ଷକ ଆଦିତ୍ୟ କୁମାର ସିଂହଙ୍କର ସନ୍ଦେହ ହେଲା । ସେ ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟ୍ ବାହାର କରିବା ପରେ ଘଟଣା ବିଷୟରେ ଜଣାପଡ଼ିଲା । ସଞ୍ଜୟ ଅଧୀକ୍ଷକଙ୍କ ନକଲି ହସ୍ତାକ୍ଷର ଜରିଆରେ ଟଙ୍କା ଉଠାଇଥିଲେ । ମାମଲାର ଖୁଲାସା ପରେ ଜେଲ ଅଧୀକ୍ଷକ ସଞ୍ଜୟଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ- ଶିବଶଙ୍କର, ମୁଶୀର ଅହମଦ ଓ ଜେଲ ଚୌକିଦାର ଅବଧେଶ କୁମାର ପାଣ୍ଡେଙ୍କ ବିରୋଧରେ କୋତୱାଲିରେ ମାମଲା ରୁଜୁ କଲେ । ପୁଲିସ ମାମଲାର ଯାଞ୍ଚ୍ ଆରମ୍ଭ କରିଛି ।