ନୂଆଦିଲ୍ଲୀ ୨୬/୧୦: ଅଧିକାଂଶ ଲୋକଙ୍କ ପାଇଁ ପରୀକ୍ଷା ଏକ ବଡ଼ ବାଧା, ଯାହାକୁ ପାସ୍ କରିବା ସେମାନଙ୍କ ପାଇଁ କାଠିକର ପାଠ । କିନ୍ତୁ ଚେନ୍ନାଇର ପ୍ରଫେସର ଭିଏନ୍ ପାର୍ଥିବନ୍ଙ୍କ ପାଇଁ ପରୀକ୍ଷା ଜୀବନର ଏକ ଅଂଶ । ତାଙ୍କ ସାଥୀମାନେ କ୍ୟାରିଅର୍ ଯୋଜନା କରୁଥିବାବେଳେ ପାର୍ଥିବନ୍ ଡିଗ୍ରୀ ହାସଲ କରୁଥିଲେ । ପ୍ରସିଦ୍ଧି ଲାଭ ପାଇଁ ନୁହେଁ, ପ୍ରଥମ ଡିଗ୍ରୀ ହାସଲ କରିବା ପରେ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସମ୍ମାନ ଦେବା ଲାଗି । ଏହି ପ୍ରତିଶ୍ରୁତି ଅଧ୍ୟୟନ, ଆବେଦନ, ପରୀକ୍ଷା ଓ ଏହାର ପୁନରାବୃତ୍ତିର ଏକ ନିରନ୍ତର ଯାତ୍ରା ପାଲଟିଲା । ଆଜି ୬୦ ବର୍ଷୀୟ ପ୍ରଫେସର ପାର୍ଥିବନ୍ଙ୍କ ପାଖରେ ୧୫୦ ଡିଗ୍ରୀ ରହିଛି । ପ୍ରମାଣପତ୍ରରେ ତାଙ୍କ ଥାକ ଭର୍ତ୍ତି ହୋଇଯାଇଛି, କିନ୍ତୁ ଅଧିକ ଅଧ୍ୟୟନ କରିବାର କ୍ଷୁଧା ତାଙ୍କର ମେଣ୍ଟିନାହିଁ । ସ୍ଥାନୀୟ ଅଞ୍ଚଳରେ ସେ ଡିଗ୍ରୀର ଭଣ୍ଡାର ଓ ଚଳନ୍ତା ଏନ୍ସାଇକ୍ଲୋପିଡିଆ ନାମରେ ପରିଚିତ । ଏହାର କାରଣ, ତାଙ୍କ ବାୟୋଡାଟା ଏକ ଛୋଟ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ତାଲିକା ଭଳି ଦିଶେ । ବିଶ୍ୱରେ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତାଯୁକ୍ତ ଅଣଆନୁଷ୍ଠାନିକ ରେକର୍ଡର ସେ ଅଧିକାରୀ ହୋଇଛନ୍ତି ।
ପାର୍ଥିବନ୍ ଅଧ୍ୟୟନକୁ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିଛନ୍ତି । ଶିକ୍ଷକତା, ପାରିବାରିକ ଜୀବନ ଏବଂ ଅନ୍ତହୀନ ପଞ୍ଜୀକରଣ ମଧ୍ୟରେ ୧୯୮୧ ମସିହାରୁ ସେ ଅଧ୍ୟୟନ ଜାରି ରଖିଛନ୍ତି । ତାଙ୍କ ଦରମାର ପ୍ରାୟ ୯୦ ପ୍ରତିଶତ ଶୁଳ୍କ, ବହି ଓ ପରୀକ୍ଷାରେ ଚାଲିଯାଏ । ବର୍ତ୍ତମାନ ସେ ଚେନ୍ନାଇର ଆର୍କେଏମ୍ ବିବେକାନନ୍ଦ କଲେଜରେ ଅର୍ଥନୀତି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଭାବେ ଅଧ୍ୟାପନା କରୁଛନ୍ତି । ପ୍ରଥମ ଡିଗ୍ରୀ ହାସଲ କରିବାର ବର୍ଷେ ପରେ, ୧୯୮୨ ମସିହାରେ ସେ ଅଧ୍ୟାପନା କ୍ୟାରିଅର ଆରମ୍ଭ କରିଥିଲେ । ସେ ସକାଳ ୫ଟାରେ ଉଠନ୍ତି ଏବଂ ବିଳମ୍ବିତ ରାତି ଯାଏ ଅଧ୍ୟୟନ କରନ୍ତି । ଦୀର୍ଘ ଦଶନ୍ଧି ଧରି ସେ ଏହି ଧାରା ବଜାୟ ରଖିଛନ୍ତି । ଏବେ ବି ସେ ରବିବାର ଅଧ୍ୟୟନ, ଅଧ୍ୟାପନା କିମ୍ବା ପରୀକ୍ଷାରେ ବିତାଉଛନ୍ତି । ଅଧ୍ୟୟନରୁ ଏକମାତ୍ର ବିରତି ହେଉଛି ପ୍ରତି ରବିବାର ସନ୍ଧ୍ୟାରେ ସେ କନ୍ନଡ଼ାସନ ଗୀତ ଶୁଣନ୍ତି । ପାର୍ଥିବନ୍ କହନ୍ତି, ମୁଁ ପ୍ରକୃତରେ ଅଧ୍ୟୟନକୁ ଉପଭୋଗ କରେ । ଏହା ଆଦୌ କଷ୍ଟକର ନୁହେଁ । ମୁଁ ନିରନ୍ତର ପରୀକ୍ଷା ପ୍ରସ୍ତୁତି ଓ ନୂଆ ଡିଗ୍ରୀ ପାଇଁ ଆବେଦନ ପ୍ରକ୍ରିୟା ଜାରି ରଖିଛି ।
ପାର୍ଥିବନ୍ଙ୍କ ଶତାଧିକ ଡିଗ୍ରୀ ମଧ୍ୟରେ ୧୩ ମାଷ୍ଟର୍ ଅଫ୍ ଆର୍ଟସ୍ (ଏମ୍ଏ), ୮ ମାଷ୍ଟର୍ ଅଫ୍ କମର୍ସ (ଏମ୍କମ୍), ୪ ମାଷ୍ଟର୍ ଅଫ୍ ସାଇନ୍ସ (ଏମ୍ଏସ୍ସି), ୧୩ ମାଷ୍ଟର୍ ଅଫ୍ ଲ (ବିଭିନ୍ନ ଶାଖା), ୧୨ ମାଷ୍ଟର୍ ଅଫ୍ ଫିଲୋସଫି (ଏମ୍ଫିଲ), ୧୪ ମାଷ୍ଟର୍ ଅଫ୍ ବିଜ୍ନେସ ଆଡ୍ମିନିଷ୍ଟ୍ରେସନ୍ (ଏମ୍ବିଏ), ୨୦ ପ୍ରଫେସ୍ନାଲ କୋର୍ସ, ୧୧ ସାର୍ଟିଫିକେଟ୍ କୋର୍ସ, ୯ ପିଜି ଡିପ୍ଲୋମା କୋର୍ସ, ଆହୁରି ଅନେକ ଡିପ୍ଲୋମା ଓ ପିଜି ଡିପ୍ଲୋମା କୋର୍ସ ରହିଛି । ଏବେ ସେ ମ୍ୟାନେଜ୍ମେଣ୍ଟ୍ରେ ପିଏଚ୍ଡି ଏବଂ କର୍ପୋରେଟ୍ ଲ’ରେ ମାଷ୍ଟର୍ ଡିଗ୍ରୀ କୋର୍ସ କରୁଛନ୍ତି ।