କଟକ, ୬/୧୧ : କୁଳପତିଙ୍କ ଅଫିସ୍ ଆଗରେ ଅଭିନବ ଧାରଣା। ରାସ୍ତାରେ ବସି ପାଠ ପଢିଲେ ରେଭେନ୍ସା ଛାତ୍ରଛାତ୍ରୀ। ଅଧ୍ୟାପକ ବି ପଢାଇଲେ ପାଠ। ଶ୍ରେଣୀଗୃହ ସମସ୍ୟା ହେତୁ ପ୍ରତିବାଦ କଲେ ଓଡ଼ିଆ ବିଭାଗ ପିଜି ଦ୍ଵିତୀୟ ବର୍ଷର ଶିକ୍ଷାର୍ଥୀ। 

ସୂଚନାନୁଯାୟୀ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିବାରୁ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ। ଆଜି ଓଡ଼ିଆ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ଯାପକଙ୍କ ସହ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ବହିଖାତା ଧରି ପାଠ ପଢିବା ସହ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ। ଖବର ପାଇ ରେଭେନ୍ସା ରେଜିଷ୍ଟ୍ରାର କାହ୍ନୁଚରଣ ମଲ୍ଲିକ ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଧର୍ମବ୍ରତ ମହାପାତ୍ର ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି। ୧୦ ଦିନ ଭିତରେ ସିଲିଂ ମରାମତି କରିବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଛନ୍ତି।