ମାଲକାନଗିରି,୩୧/୧୦ : ଚିତ୍ରକୋଣ୍ଡା ବିଧାୟକଙ୍କ ବିରୁଦ୍ଧରେ ମେଳି ବାନ୍ଧିଛନ୍ତି ବ୍ଲକର ସମସ୍ତ ଜନ ପ୍ରତିନିଧି । ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦେଇଛନ୍ତି ଦାବିପତ୍ର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସମସ୍ତ ୧୮ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ଆଜି ମିଳିତ ହୋଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏକ ଦାବିପତ୍ର ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ବିକାଶ ଦିଗରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉଛି ଏବଂ ଗ୍ରାମର କେଉଁ କେଉଁ କାମ ହେବ ଗ୍ରାମ ସଭା, ପଲ୍ଲିସଭା ରେ ସ୍ୱୀକୃତି ପାଇ ସରକାରଙ୍କ ଅନୁମୋଦନ ପାଇଁ ଯାଉଛି ଏବଂ ସେଥିରୁ ୪୦ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟର ତାଲିକା ବିଧାୟକ ନିଜ ଇଚ୍ଛା ମୁତାବକ ଦେବାର ପ୍ରାବଧାନ ଅଛି । କିନ୍ତୁ କାମ ଗୁଡ଼ିକ ଅନୁମୋଦନ ହୋଇ ଆସିଲା ପରେ ବିଧାୟକ ସମସ୍ତ କାମର ଠିକାଦାରୀ କଂଗେସ କର୍ମୀ କରିବେ ବୋଲି ବ୍ଲକ ପ୍ରଶାସନକୁ ଚାପ ପକାଉଛନ୍ତି । ଫଳରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଉନ୍ନୟନ କାମରେ କୌଣସି ଭୂମିକା ରହୁନାହିଁ। ତେଣୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ନେତୃତ୍ୱରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଏକଜୁଟ ହୋଇ ବିଧାୟକ କେଉଁ ଅଧିକାରରେ ସମସ୍ତ କାମକୁ କଂଗ୍ରେସ କର୍ମୀଙ୍କ ଭିତରେ ବାଣ୍ଟିବାକୁ ଦାବି କରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ ଏବଂ ଆସିଥିବା ସମସ୍ତ କାମରେ ପଞ୍ଚାୟତ ପ୍ରତିନିଧିଙ୍କ ଅଗ୍ରାଧିକାର ରହୁ ବୋଲି ଦାବି କରିଛନ୍ତି।