ଭୁବନେଶ୍ୱର, ୧୦/୦୯: ସାର କଳାବଜାରୀ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ଝାରସୁଗୁଡ଼ା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ ଟିମ୍‌ର ରାତ୍ରିକାଳୀନ ଚଢ଼ାଉ କରିଛି । ରେଡ୍ ବେଳେ କଳାବଜାରୀ ପାଇଁ ରଖାଯାଇଥିବା ସାର ଜବତ ହୋଇଛି। ପାକ୍ସର ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସୂଚନାନୁଯାୟୀ, କିର୍ମିରା ପାକ୍ସରେ ସାର କଳାବଜାରୀ ଚାଲିଥିବା ନେଇ ସ୍ଥାନୀୟ କୃଷକମାନେ ଅଭିଯୋଗ କରିଥିଲେ। ଏହାପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ୍ କୃଷି ଅଧିକାରୀ, ଫର୍ଟିଲାଇଜର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ। କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ୬ଟି ବ୍ୟାଗ ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହାପରେ ତହସିଲଦାରଙ୍କ ଉପସ୍ଥିତିରେ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କଳାବଜାରୀ ପାଇଁ ରଖାଯାଇଥିବା ସାରକୁ ଜବତ କରାଯାଇଛି। 

ରାଜ୍ୟରେ ବେଆଇନ ସାର ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏନଫୋର୍ସମେଣ୍ଟ ଜାରି ରହିଛି। ସରକାରଙ୍କ ତରଫରୁ କଳାବଜାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବାକୁ କୃଷି ବିଭାଗ ସଂକଳ୍ପବଦ୍ଧ ବୋଲି ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାରଣା କହିଛନ୍ତି।