ଫୁଲବାଣୀ,୫/୧୦: ଅନାସ୍ଥା ଭୋଟ୍ରେ ପରାଜିତ ହୋଇ ପଦବୀ ହରାଇଛନ୍ତି ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ । ଏନେଇ କନ୍ଧମାଳ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିଛନ୍ତି । ଏହା ସହିତ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରୀତମ ରାଇକିଆ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଭିନ୍ନ କାରଣ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ଦେଖା ଦେବା ପରେ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବାଲିଗୁଡା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗତ ମାସ ୨୬ ତାରିଖରେ ଚକାପାଦ ବିଡିଓ ହୃଦରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ବସିଥିଲା । ଆଲୋଚନା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା । ସମୂଦାୟ ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଅନୁପସ୍ଥିତ ଥିବା ବେଳେ ବେଳେ ୨୩ ଜଣ ଭୋଟ୍ ଦେଇଥିଲେ। ୨ଟି ଭୋଟ୍ ନାକଚ ହୋଇଥିବା ବେଳେ ୨୧ଜଣ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ । ଶନିବାର କନ୍ଧମାଳ ଜିଲ୍ଲାପାଳ ଏ ନେଇ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିବା ସହ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ୧୨ଟି ପଞ୍ଚାୟତ ସମିତି ମଧ୍ୟରୁ କେବଳ କୋଟଗଡକୁ ବାଦ ଦେଇ ଅନ୍ୟ ସମସ୍ତ ବ୍ଲକ ବିଜେଡି ହାତକୁ ଯାଇଥିଲା ।