ସ୍ୱ-ଆଧାରିତ ଜୀବନ କୌଣସି ବି ଦେଶର ବିକାଶ ପାଇଁ, ସେହି ଦେଶର  ଯେଉଁ ସଂସାଧନ, ସମ୍ବଳ ଅଛି ତା’ ଆଧାରରେ ବିକାଶର ପଥକୁ ପ୍ରଶସ୍ତ  କରିବା ଉଚିତ୍‌ । ସ୍ୱ-ଆଧାରିତ ଜୀବନର ତାତ୍ପର୍ଯ୍ୟ ହେଉଛି, ଆର୍ଥିକ ଏବଂ  ସାଂସ୍କୃତିକ ସମସ୍ତ ଆୟାମଗୁଡ଼ିକରେ ଆମକୁ ନିଜ ଗୋଡ଼ରେ ଛିଡ଼ାହେବା  ଉଚିତ୍‌ । ସ୍ୱଦେଶୀ ଜୀବନଶୈଳୀ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର  ସ୍ତରରେ ଆପଣେଇବାକୁ ହେବ, ତେବେ ଯାଇ ଭାରତ ଆତ୍ମନିର୍ଭର ହେବ ।

surtidha biswal

୧୯୨୫ ମସିହା ବିଜୟାଦଶମୀ (ବିକ୍ରମ ସମ୍ବତ  ୧୯୮୨)ରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ  ସ୍ୱୟଂସେବକ ସଂଘ ନିଜ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ  କରିଛି । ସଂଘ ଆଜି ବିଶ୍ୱର ସର୍ବବୃହତ ସାମାଜିକ  ସଂଗଠନ ପାଲଟିଛି । ଏହି କାରଣରୁ ସ୍ୱାଭାବିକ ଭାବରେ  ସଂଘକୁ ଜାଣିବାର ଉତ୍ସୁକତା ସମାଜରେ ବୃଦ୍ଧିପାଇଛି । ସଂଘକୁ ଜାଣିବାକୁ ହେଲେ ସଂଘର ସଂସ୍ଥାପକ ଡା.  କେଶବ ବଳିରାମ ହେଡଗେୱାରଜୀଙ୍କୁ ଜାଣିବା  ଆବଶ୍ୟକ ଅଟେ । ଡକ୍ଟରଜୀ ଜନ୍ମଜାତ ଦେଶଭକ୍ତ  ଥିଲେ। ସ୍ୱାଧୀନତା ଆନ୍ଦୋଳନର ସମସ୍ତ ପ୍ରୟାସରେ  ସେ ସକ୍ରିୟ ଥିଲେ । ତେଣୁ ତାଙ୍କୁ ଦୁଇଥର (୧୯୨୧ ଓ  ୧୯୩୦) କାରାବାସ ଭୋଗିବାକୁ ପଡ଼ିଥିଲା ।

ସଂଘ ସ୍ଥାପନା: ସଂଘର ସ୍ଥାପନା ଏପରି ସମୟରେ  ହୋଇଥିଲା, ଯେତେବେଳେ ଆମ ଦେଶ ସ୍ୱାଧୀନତା ପ୍ରାପ୍ତି  ପାଇଁ ସଂଘର୍ଷ କରୁଥିଲା । ଡା. ହେଡଗେୱାରଙ୍କ ସ୍ପଷ୍ଟ ମତ  ଥିଲା ରାଷ୍ଟ୍ରର ସ୍ୱତନ୍ତ୍ରତା, ତତ୍ପଶ୍ଚାତ୍‌ ପରମବୈଭବ ପ୍ରାପ୍ତି  ତଥା ସମାଜର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କେବଳ  ହିନ୍ଦୁ ସମାଜର ସଂଗଠିତ ହେବାଦ୍ୱାରା ହୋଇପାରିବ ।  ଜାତି, ଭାଷା, ବେଶଭୂଷା, ପ୍ରାନ୍ତ ଆଦି ବିବିଧତାକୁ ଭେଦ  ବିବେଚନା କରି ଅସଂଗଠିତ ହୋଇଥିବା ହିନ୍ଦୁ ସମାଜକୁ,  ହିନ୍ଦୁତ୍ୱର ଆଧାରରେ ସଂଗଠିତ କରିବା ପାଇଁ ଡକ୍ଟରଜୀ  ସଂଘର ପ୍ରତିଷ୍ଠା କରିଥିଲେ । ଆମ ପାଇଁ ହିନ୍ଦୁତ୍ୱ କୌଣସି  ଉପାସନା ପଦ୍ଧତି କିମ୍ବା ରିଲିଜିଅନ ନୁହେଁ, ଏହା ଏକ  ଉଚ୍ଚ ମୂଲ୍ୟବୋଧସମ୍ପନ୍ନ ଜୀବନ ଦୃଷ୍ଟି ଅଟେ ଏବଂ  ଏହି ଦୃଷ୍ଟି ଆଧାରରେ ବିକଶିତ ହୋଇଥିବା ଜୀବନ  ପଦ୍ଧତି ଅଟେ । ଏହି ଭଗୀରଥ ଏବଂ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ  ସକାଶେ ସେହିପରି ଗୁଣବାନ କାର୍ଯ୍ୟକର୍ତ୍ତା ଆବଶ୍ୟକ  ଥିଲେ । ଏପରି କାର୍ଯ୍ୟକର୍ତ୍ତା ନିର୍ମାଣ କରିବା ପାଇଁ ଡା.  ହେଡଗେୱାର ଏକ ସରଳ କିନ୍ତୁ ଅତ୍ୟନ୍ତ ପରିଣାମକାରକ  ଦୈନିକ ଶାଖାର ପଦ୍ଧତି ସଂଘରେ ବିକଶିତ କଲେ ।

ବ୍ୟକ୍ତି ନିର୍ମାଣର କାର୍ଯ୍ୟପଦ୍ଧତି: ସଂଘ କାର୍ଯ୍ୟର  ପ୍ରଥମ ପର୍ଯ୍ୟାୟରେ ସଂଗଠନ ଛିଡ଼ା କରିବା ହିଁ ପ୍ରମୁଖ  କାର୍ଯ୍ୟ ଥିଲା ଏବଂ ଏଥିପାଇଁ ବ୍ୟକ୍ତି ନିର୍ମାଣର ପ୍ରକ୍ରିୟାକୁ  ଗତିଶୀଳ କରିବା ଆବଶ୍ୟକ ଥିଲା । ବ୍ୟକ୍ତି ନିର୍ମାଣ ହେତୁ  ଚାଲୁଥିବା ନିତ୍ୟ ଶାଖାରେ ସ୍ୱୟଂସେବକମାନେ ଅତ୍ୟନ୍ତ  ସାମାନ୍ୟ ଦେଖାଯାଉଥିବା କାର୍ଯ୍ୟକ୍ରମ- ଖେଳ, ବ୍ୟାୟାମ,  ଯୋଗାସନ, ଗୀତ, କାହାଣୀ, ପ୍ରାର୍ଥନା ଆଦି କରିଥାନ୍ତି,  ଯାହା ଶାଖା ବାହାରେ ମଧ୍ୟ ସମାଜରେ କରାଯାଇଥାଏ ।  ଏସବୁ କାର୍ଯ୍ୟକ୍ରମ ହିଁ ସ୍ୱୟଂସେବକମାନଙ୍କ ମଧ୍ୟରେ  ସାହସ, ଧୈର୍ଯ୍ୟ, ଶକ୍ତି, ରାଷ୍ଟ୍ରୀୟ ଚରିତ୍ର, ଅନୁଶାସନ,  ଦେଶଭକ୍ତି, ସେବା ପ୍ରଭୃତି ଗୁଣର ନିର୍ମାଣ କରିଥାଏ । ଏହି  କାର୍ଯ୍ୟକ୍ରମଗୁଡ଼ିକର ନିରନ୍ତରତା ହିଁ ସ୍ୱୟଂସେବକମାନଙ୍କର  ସମ୍ପୂର୍ଣ୍ଣ ଜୀବନର ଦିଗ ଓ ପ୍ରାଥମିକତାଗୁଡ଼ିକୁ ବଦଳାଇ  ଦେଇଥାଏ । ଏଥିପାଇଁ ତ ସଂଘ ସାମାନ୍ୟ ଲୋକଙ୍କର  ଅସାମାନ୍ୟ ସଂଗଠନ ପାଲଟିଛି । ଏହି କାର୍ଯ୍ୟ ପଦ୍ଧତି  ଯୋଗୁଁ ଯେଉଁ ସ୍ୱୟଂସେବକମାନେ ନିର୍ମାଣ ହେଲେ,  ତାଙ୍କ ଆଚରଣ ଦ୍ୱାରା ସଂଘର ସମାଜ ଜୀବନରେ ଏକ  ସକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହୋଇଛି । ସଂଘ ଅର୍ଥାତ୍‌  ଦେଶଭକ୍ତି, ନିଃସ୍ୱାର୍ଥ ସେବା, ଅନୁଶାସନ ଏହି ପରିଚୟ  ସମାଜର ମନରେ ସ୍ଥାପିତ ହୋଇଛି ।

ସଂଘ କାର୍ଯ୍ୟର ବିସ୍ତାର: କୌଣସି ବିଶେଷ  କାର୍ଯ୍ୟକୁ ଉପହାସ, ଉପେକ୍ଷା, ବିରୋଧ ଏବଂ  ପରେ ସ୍ୱୀକାର୍ଯ୍ୟତାର ପର୍ଯ୍ୟାୟ ଦେଇ ଗତି କରିବାକୁ  ପଡ଼ିଥାଏ, ସେହିପରି ସଂଘକୁ ମଧ୍ୟ ଏହି ସମସ୍ତ  ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା । କିନ୍ତୁ ଶ୍ରେଷ୍ଠ  ଅଧିଷ୍ଠାନ, ଉତ୍ତମ କାର୍ଯ୍ୟପଦ୍ଧତି  ଏବଂ ସ୍ୱୟଂସେବକମାନଙ୍କ  ନିଃସ୍ୱାର୍ଥ ଦେଶଭକ୍ତିରେ ପରିପୂର୍ଣ୍ଣ  ସମରସତାଯୁକ୍ତ ଆଚରଣ ଯୋଗୁଁ  ସଂଘ ସମାଜର ବିଶ୍ୱାସ ଜିତିବାରେ  ସଫଳ ହୋଇଛି । ଆଜି ସଂଘର  କାର୍ଯ୍ୟ କାଶ୍ମୀରରୁ କନ୍ୟାକୁମାରୀ  ଏବଂ କଚ୍ଛରୁ ଅରୁଣାଚଳ ପ୍ରଦେଶ  ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ  କୋଣରେ ପହଞ୍ଚିଛି । ଆଜି ସମ୍ପୂର୍ଣ୍ଣ  ଭାରତର ମୋଟ୍‌ ୯୨୪ ଜିଲ୍ଲା ମଧ୍ୟରୁ  ୯୮.୩ ପ୍ରତିଶତ ଜିଲ୍ଲାର ସଂଘର  ଶାଖା ଚାଲୁଅଛି । ମୋଟ ୬୬୧୮  ଖଣ୍ଡ ମଧ୍ୟରୁ ୯୨.୩ ପ୍ରତିଶତ ଖଣ୍ଡ (ତାଲୁକା)ରେ ମୋଟ୍‌  ୫୮,୯୩୯ ମଣ୍ଡଳ ମଧ୍ୟରୁ ୫୨.୨ ପ୍ରତିଶତ ମଣ୍ଡଳରେ  (ମଣ୍ଡଳ ଅର୍ଥାତ୍‌ ୧୦-୧୨ ଗ୍ରାମର ଏକ ସମୂହ),  ୫୧,୭୪୦ ସ୍ଥାନରେ ୮୩,୧୨୯ ସଂଖ୍ୟକ ଦୈନିକ  ଶାଖାଗୁଡ଼ିକ ଚାଲୁଅଛି ।  

ସେବା କାର୍ଯ୍ୟ: ଦେଶଭକ୍ତିରେ ଓତପ୍ରୋତ  ସ୍ୱୟଂସେବକମାନେ ସମାଜର କଷ୍ଟ ଦେଖିବା ମାତ୍ରେ  ଦୌଡ଼ିଯାଆନ୍ତି, ସେଥିପାଇଁ ଆଜି କୌଣସି ବି ପ୍ରାକୃତିକ  କିମ୍ବା ଅନ୍ୟ ବିପର୍ଯ୍ୟୟ ସମୟରେ ସେଠାରେ ତୁରନ୍ତ  ପହଞ୍ଚିଥାନ୍ତି । କେବଳ ବିପର୍ଯ୍ୟୟ ସମୟରେ ନୁହେଁ,  ବରଂ ନିୟମିତ ରୂପେ ସମାଜରେ ଦେଖାଯାଉଥିବା  ଅଭାବ, ପୀଡ଼ା, ଉପେକ୍ଷା ଦୂର କରିବା ପାଇଁ ସ୍ୱୟଂସେବକ  ନିଜ କ୍ଷମତାନୁସାରେ ସର୍ବତ୍ର ପ୍ରୟାସ କରିଥାନ୍ତି । ଆଜି  ସଂଘର ସ୍ୱୟଂସେବକମାନେ ସମାଜର ସହଯୋଗରେ  ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କାର ଏବଂ ସ୍ୱାବଲମ୍ବନ ବିଷୟରେ  ଗ୍ରାମୀଣ ଓ ନଗର କ୍ଷେତ୍ରରେ ୧,୨୯,୦୦୦ ସେବାକାର୍ଯ୍ୟ  ଓ ଗତିବିଧିମାନ ଚଳାଉଛନ୍ତି । ଏହା ବ୍ୟତୀତ  ସ୍ୱୟଂସେବକମାନେ ପ୍ରଶାସନ ଅଥବା ସରକାର ଉପରେ  ନିର୍ଭର ନକରି ନିଜ ଗ୍ରାମର ସର୍ବାଙ୍ଗୀନ ବିକାଶ ସମସ୍ତ  ଗ୍ରାମବାସୀ ମିଳିମିଶି କରନ୍ତୁ, ଏହି ଉଦ୍ଦେଶ୍ୟରେ "ଗ୍ରାମ  ବିକାଶ'ର କାର୍ଯ୍ୟ ମଧ୍ୟ କରୁଛନ୍ତି । ଭାରତୀୟ ପ୍ରଜାତିର  ଗାଈମାନଙ୍କ ସଂରକ୍ଷଣ, ସମ୍ବର୍ଦ୍ଧନା, ପ୍ରଜାତି ସୁଧାର  କରିବା ସହ ଗୋବର ଆଧାରିତ ଜୈବିକ ଚାଷ ନିମିତ  କୃଷକମାନଙ୍କୁ ପ୍ରଶିକ୍ଷଣ, ପ୍ରବୋଧନ ଏବଂ ପ୍ରୋତ୍ସାହନ  ଦେବା ଉପଲକ୍ଷ୍ୟରେ ଗୋ-ସେବା,  ଗୋ-ସମ୍ବର୍ଦ୍ଧନର କାର୍ଯ୍ୟ ମଧ୍ୟ  କରୁଛନ୍ତି ।

ପଞ୍ଚ ପରିବର୍ତ୍ତନ: ଯଦିଓ  ସ୍ୱୟଂସେବକମାନେ ନିୟମିତ  ଭାବରେ ସମାଜ ପରିବର୍ତ୍ତନ ଏବଂ  ସମସ୍ୟାର ସମାଧାନ କରିବା  ନିମନ୍ତେ ସତତ ସକ୍ରିୟ ରୁହନ୍ତି,  କିନ୍ତୁ ଶତାବ୍ଦୀ ବର୍ଷ ପରେ ପାଞ୍ଚଟି  ବିଷୟ ଉପରେ ସଜ୍ଜନ ଶକ୍ତିର  ସହଯୋଗରେ ଜନଜାଗରଣ ପାଇଁ  ବିଶେଷ ପ୍ରଯତ୍ନ କରିବେ । ଯାହାକୁ  ପଞ୍ଚ ପରିବର୍ତ୍ତନ କୁହାଯାଉଛି,  ସେହି ପାଞ୍ଚଟି ବିଷୟ ଏହି ପ୍ରକାରର ଅଟେ– ସାମାଜିକ  ସମରସତା ଦୁର୍ଭାଗ୍ୟବଶତଃ ଆମ ସମାଜର କିଛି ବର୍ଗର  ଲୋକଙ୍କୁ ଅଛୁଆଁ ମାନି ଶିକ୍ଷା, ସୁବିଧା ଏବଂ ସମ୍ମାନଠାରୁ  ବଞ୍ଚିତ ରଖାଯାଇଛି ।

ଏହା ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଏବଂ ଅମାନବୀୟ  ଅଟେ । ଏହି ଅନ୍ୟାୟକୁ ଦୂରକରି, ସମସ୍ତଙ୍କୁ ସାଥିରେ  ନେଇ ଆଗକୁ ବଢ଼ିବାର ପ୍ରୟାସ, ସାମାଜିକ ସମରସତା  ମାଧ୍ୟାମରେ ଆରମ୍ଭ ହୋଇଛି । ଆମର ସମରସ ହିନ୍ଦୁ  ସମାଜ ବିଭିନ୍ନ ଜାତିଙ୍କ ନାମରେ ଜଣାଯାଉଥିଲେ ମଧ୍ୟ  ଏହି କାରଣରୁ କେବେବି ସମାଜର ଛୁଆଁ ଅଛୁଆଁ  ଭେଦଭାବ ରହିନାହିଁ । ସଂଘର୍ଷ କାଳରେ ଆସିଥିବା ଏହି  ବିକୃତିକୁ କିଛି ନିହିତ ସ୍ୱାର୍ଥୀ ତତ୍ତ୍ୱ, ଜାତିଗତ ବିଦ୍ୱେଷ  ବଢ଼ାଇ ସମାଜକୁ ବିଭାଜିତ କରିବାର କାର୍ଯ୍ୟ କରିଥାନ୍ତି ।  

ପର୍ଯ୍ୟାବରଣ ସଂରକ୍ଷଣ ସୃଷ୍ଟି ଆମ୍ଭମାନଙ୍କ ସମସ୍ତ  ପ୍ରାଣୀଙ୍କର ମା’ ଅଟେ । କିନ୍ତୁ ଭୌତିକତାବାଦୀ  ଜୀବନର ପ୍ରଭାବ ବୃଦ୍ଧି କାରଣରୁ ପ୍ରକୃତିର  ଶୋଷଣ ହୋଇଆସୁଛି । ପଶ୍ଚିମର ବିକାଶର ମାନକ  (କ୍ଟ୍ରବକ୍ସବୟସଶଜ୍ଞ) ଗୁଡ଼ିକ ଆଧାରରେ ଅନୁଷ୍ଠିତ  ବିକାଶ ଦ୍ୱାରା କେବଳ ୫୦୦ ବର୍ଷରେ ହିଁ ସୃଷ୍ଟିର  ପର୍ଯ୍ୟାବରଣୀୟ ସନ୍ତୁଳନ ବିଗଡ଼ି ଯାଇଛି । ସେହି ବିଗିଡ଼ି  ଯାଇଥିବା ସନ୍ତୁଳନକୁ ପୁଣି ଥରେ ଠିକ୍‌ କରିବା ପ୍ରୟାସରେ  ଜନସହଭାଗିତା ବୃଦ୍ଧି କରି ପର୍ଯ୍ୟାବରଣ ବିଷୟରେ  ଜାଗୃତି ଏବଂ ସକ୍ରିୟତା ଆଣିବାର ଆବଶ୍ୟକତା ରହିଛି ।  ଆମ ଜୀବନରେ ନ୍ୟୁନତମ ତିନୋଟି କାର୍ଯ୍ୟ ଆମେ  ସମସ୍ତେ କରି ହିଁ ପାରିବା । ପାଣି ବଞ୍ଚାଇବା, ସିଙ୍ଗଲ  ୟୁଜ ପ୍ଲାଷ୍ଟିକର ବ୍ୟବହାର କରିବା ନାହିଁ ଏବଂ ସବୁଜିମା  ପାଇଁ ଗଛ ଲଗେଇବା । ଏହାଦ୍ୱାରା ମନୁଷ୍ୟ ଭିତରେ ଏକ  ମାନବୀୟତା ଆସିବ ଏବଂ ପର୍ଯ୍ୟାବରଣରେ ସୁଧାର ମଧ୍ୟ  ହେବ । ଏଥିପାଇଁ ଯେଉଁ ସାମୂହିକ ଉପକ୍ରମ ଚାଲୁଅଛି  ସେଥିରେ ଆମେ ଭାଗନେବା ଏବଂ ନିଜ ଘରେ ମଧ୍ୟ ଏହା  ପାଳନ କରିବା ଉଚିତ୍‌ ।  

କୁଟୁମ୍ବ ପ୍ରବୋଧନ ଭାରତୀୟ ସଂସ୍କୃତି ଏବଂ  ପରମ୍ପରାରେ କୁଟୁମ୍ବର ବିଶେଷ ମହତ୍ତ୍ୱ ଅଛି ।  ଭାରତୀୟ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି କୁଟୁମ୍ବ ଅର୍ଥାତ୍‌ ମୁଁ’ରୁ  ଆମେ’କୁ ଯାତ୍ରାର ପ୍ରଥମ ପାଦ ଅଟେ । ବର୍ତ୍ତମାନ  ସହରୀକରଣ ଓ ଜୀବନର ବାସ୍ତବତା ବଢ଼ିବା ଯୋଗୁଁ  କୁଟୁମ୍ବ ଛୋଟ ହୋଇଯାଇଛି । ତେଣୁ ପରିବାରର ସମସ୍ତ  ଲୋକ ସପ୍ତାହରେ ଥରେ ଏକାଠି ବସିବା, ନିର୍ଦ୍ଧାରିତ  ସମୟରେ ଘରେ ରହିବା, ଶ୍ରଦ୍ଧା ଅନୁସାରେ ଭଜନ  କରିବା, ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଏବଂ  ତା'ପରେ ୩-୪ ଘଣ୍ଟା ଗପସପ କରିବା । ସେଥିରେ  ଆମେ କିଏ, ଆମ ପୂର୍ବପୁରୁଷ କିଏ ଥିଲେ, ଆମର  କୁଳରୀତି କ’ଣ, ଆମ ଘରର ରୀତି କ’ଣ, କ’ଣ ଭଦ୍ର  ଏବଂ କ’ଣ ଅଭଦ୍ର ଅଟେ? ଆଜିର ସମୟରେ କ’ଣ  କ’ଣ ଆବଶ୍ୟକ ଅଟେ? ଏହି ଆଧାରରେ ନିଜ ଘରେ  ସମସ୍ତେ ସହମତି ନିର୍ମାଣ କରି ସେହି କଥାଗୁଡ଼ିକୁ  ଲାଗୁ କରିବା ।

 ସ୍ୱ-ଆଧାରିତ ଜୀବନ କୌଣସି ବି ଦେଶର ବିକାଶ  ପାଇଁ, ସେହି ଦେଶର ଯେଉଁ ସଂସାଧନ, ସମ୍ବଳ ଅଛି  ତା’ ଆଧାରରେ ବିକାଶର ପଥକୁ ପ୍ରଶସ୍ତ କରିବା  ଉଚିତ୍‌ । ସ୍ୱ-ଆଧାରିତ ଜୀବନର ତାତ୍ପର୍ଯ୍ୟ ହେଉଛି,  ଆର୍ଥିକ ଏବଂ ସାଂସ୍କୃତିକ ସମସ୍ତ ଆୟାମଗୁଡ଼ିକରେ  ଆମକୁ ନିଜ ଗୋଡ଼ରେ ଛିଡ଼ାହେବା ଉଚିତ୍‌ । ସ୍ୱଦେଶୀ  ଜୀବନଶୈଳୀ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର  ସ୍ତରରେ ଆପଣେଇବାକୁ ହେବ, ତେବେ ଯାଇ ଭାରତ  ଆତ୍ମନିର୍ଭର ହେବ । ନିଜର ମାତୃଭାଷା, ସ୍ୱଭୂଷା,  ସଂସ୍କୃତି ଏବଂ ପରମ୍ପରା ଉପରେ ସ୍ୱାଭିମାନ ରଖି ତାକୁ  ବ୍ୟବହାରରେ ଆଣିବା ଉଚିତ୍‌ ।

ନାଗରିକ କର୍ତ୍ତବ୍ୟବୋଧ ପ୍ରତ୍ୟେକ ପରିସ୍ଥିତିରେ  ସମ୍ବିଧାନ, ନିୟମ, କାନୁନ ଏବଂ ଅନୁଶାସନର ପାଳନ  କରି ଚଳିବା । କୌଣସି ଉତ୍ତେଜକ କଥା ହେଲେ  ମଧ୍ୟ କାନୁନକୁ ନିଜ ହାତକୁ ନେବାନାହିଁ । ବେଆଇନ  ଆଚରଣ କରିବା ନାହିଁ । ଆଜି ଦେଶପାଇଁ ୨୪ ଘଣ୍ଟା  ବଞ୍ଚିବାର ଆବଶ୍ୟକତା ଅଛି । ଛୋଟ ଛୋଟ କଥାରେ  ମଧ୍ୟ ସମାଜର, ଦେଶର, ସମସ୍ତଙ୍କର ମାନ ରଖିବା ।  ମୋଠାରୁ ଆରମ୍ଭ ହେବ, ମୋ ଘରୁ ଆରମ୍ଭ ହେବ,  ତେବେ ଯାଇ ସମାଜରେ ପରିବର୍ତ୍ତନ ଆସିବ,  ସମାଜରେ ଆସିଲେ ଭାରତରେ ଆସିବ, ତେବେ ଯାଇ  ଭାରତ ଏକ ସଶକ୍ତ ରାଷ୍ଟ୍ର ହେବ ।