ରାୟଗଡ଼ା (ଆପ୍ର) - ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଶନିବାରେ ଅନାସ୍ଥା ଆଣିଥିବା କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରାଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଯାଞ୍ଚ ହୋଇଥିଲା।
ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରମେଶ କୁମାର ଜେନା ଦସ୍ତଖତ ଯାଞ୍ଚ କରିଥିଲେ। ଅନାସ୍ଥା ଆଣିଥିବା ୧୯ ଜଣ କାଉନସିଲର ମଧ୍ୟରୁ ୧୮ ଜଣ କାଉନସିଲର ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କୁ ନିଜର ଦସ୍ତଖତ ଦେଇଥିଲେ। ସେମାନେ ଲିଖିତ ଅନାସ୍ଥା କାଗଜରେ ଦେଇଥିବା ଦସ୍ତଖତ ସହିତ ଆଜିର ଦସ୍ତଖତ ମେଳ କରାଯାଇଛି। କେବଳ ୨୨ ନମ୍ବର ୱାର୍ଡର କାଉନସିଲର ପି. ରବିଙ୍କ ଦସ୍ତଖତ ଯାଞ୍ଚ ହୋଇନାହିଁ। ଅସୁସ୍ଥତା କାରଣରୁ ସେ ଅନୁପସ୍ଥିତ ଥିବାରୁ ଆଗାମୀ ଦିନରେ ପୁନର୍ବାର କରାଯିବ ବୋଲି ସୂଚନା ମିଳିଛି। ଏହି ଦସ୍ତଖତ ଯାଞ୍ଚ ବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ମହାରଣା ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ପ୍ରକ୍ରିୟା ରାୟଗଡ଼ା ରାଜନୀତିକୁ ଆହୁରି ଉଷ୍ଣ କରିଛି।
ଗତ ୧୨ ତାରିଖରେ ୧୯ ଜଣ କାଉନସିଲର ଉପାଧ୍ୟକ୍ଷା ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ଏହାପରେ ଗତ ବୁଧବାର ଶୁଭ୍ରା ପଣ୍ଡା ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଥିଲେ। ଏଥିସହ ପୌର ପରିଷଦରେ ଅନିୟମିତତା ଅଭିଯୋଗ ମଧ୍ୟ ସେ ଆଣିଥିଲେ। ଏହି ଅନାସ୍ଥା ଆଗାମୀ ଦିନରେ ରାୟଗଡା ରାଜନୀତିକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।