ନୂଆଦିଲ୍ଲୀ, ୧୭/୧୦: ଭାରତରେ ଶିଶୁଙ୍କ  ବିରୋଧରେ ଯୌନ ଅପରାଧ ୯୪ ପ୍ରତିଶତ ବଢ଼ିଛି ।  ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଅପରାଧ ବୃଦ୍ଧି  ପାଇଥିବା ଚାଇଲ୍ଡଲାଇଟ୍‌ ଗ୍ଲୋବାଲ ଚାଇଲ୍ଡ ସେଫ୍ଟି  ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇନ୍‌ଟୁ ଦି  ଲାଇଟ ରିପୋର୍ଟ ୨୦୨୫’ରୁ ଏକଥା ସାମ୍‌ନାକୁ ଆସିଛି ।

ରିପୋର୍ଟରେ କୁହାଯାଇଛି ଯେ ୨୦୧୭ରେ  ପୋକ୍ସୋ (ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ)  ଆଇନ ଅନୁସାରେ ୩୩,୨୧୦ଟି ମାମଲା ରୁଜୁ  ହୋଇଥିଲା । କିନ୍ତୁ ୨୦୨୨ରେ ଏହି ସଂଖ୍ୟା ବଢ଼ି  ୬୪,୪୬୯ରେ ପହଞ୍ଚିଥିଲା । ରିପୋର୍ଟରେ ଏକଥା  ମଧ୍ୟ କୁହାଯାଇଛି କି ମାମଲା ସଂଖ୍ୟା ବଢ଼ିଥିଲେ  ମଧ୍ୟ ଦଣ୍ଡବିଧାନର ହାର ୯୦ ପ୍ରତିଶତ ଉପରେ  ରହିଛି । ଯାହାକି ଭାରତରେ ମଜଭୁତ ଆଇନଗତ  କାର୍ଯ୍ୟାନୁଷ୍ଠାନ ଓ ରିପୋର୍ଟିଂ ବ୍ୟବସ୍ଥାକୁ ଦର୍ଶାଉଛି ।  ଚାଇଲ୍ଡଲାଇଟ୍‌ ସିଇଓ ପଲ୍‌ ଷ୍ଟାନଫିଲ୍ଡଙ୍କ କହିବାନୁଯାୟୀ  ପ୍ରତିଟି ତଥ୍ୟ ପଛରେ ଜଣେ ଶିଶୁ ରହିଛି  ଯାହାର ସୁରକ୍ଷା, ସମ୍ମାନ ଓ ଭବିଷ୍ୟତକୁ ଛଡାଇ  ନିଆଯାଇଛି । ଅନୁମତି ମିଳିଥିବାରୁ ଶିଶୁମାନଙ୍କୁ  ଶୋଷଣ କରାଯାଉଛି । ପର୍ଯ୍ୟାପ୍ତ ଇଚ୍ଛାଶକ୍ତି ଫଳରେ  ଏହାକୁ ରୋକାଯାଇପାରିବ । ଶିଶୁମାନେ ଅପେକ୍ଷା  କରିପାରିବେ ନାହିଁ । ତେଣୁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ  ନେବାର ସମୟ ବୋଲି ସେ କହିଛନ୍ତି ।

ଶିଶୁମାନଙ୍କୁ ଯୌନଶୋଷରୁ ସୁରକ୍ଷା  ଦେବା ଲାଗି ୨୦୧୨ରେ ଭାରତରେ ପୋକ୍ସୋ  ଆଇନ ଅଣାଯାଇଥିଲା । ସମଗ୍ର ଦେଶରେ  ଏହାକୁ କଡାକଡି ଭାବେ ଲାଗୁ କରାଗଲା । ୧୮  ବର୍ଷରୁ କମ୍‌ ବୟସର ନାବାଳିକା ଏହି ଆଇନ  ପରିସରଭୁକ୍ତ ହେଲେ । ରିପୋର୍ଟରେ କୁହାଯାଇଛି  କି ଭାରତ, ଶ୍ରୀଲଙ୍କା ଓ ନେପାଳରେ କରାଯାଇଥିବା  ସର୍ଭେରୁ ଜଣାପଡିଛି କି ପ୍ରତି ୮ ଜଣରେ ଜଣେ  ଶିଶୁ ୧୮ ବର୍ଷରେ ପହଞ୍ଚିବା ପୂର୍ବରୁ ଯୌନ  ଶୋଷଣ କିମ୍ବା ବଳାତ୍କାରର ଶିକାର ହେଉଛି । ଏହି  ୩ ଦେଶରେ ୫ କୋଟି ୪୦ ଲକ୍ଷ ଶିଶୁ ପ୍ରଭାବିତ  ହୋଇଛନ୍ତି । ଅର୍ଥାତ ମୋଟ ପିଲାଙ୍କର ୧୨.୫  ପ୍ରତିଶତ ଯୌନ ଶୋଷଣ କିମ୍ବା ବଳାତ୍କାରର  ଶିକାର ହୋଇଥାନ୍ତି ।

୨୦୨୪ରେ ଦକ୍ଷିଣ  ଏସିଆରେ ଭାରତ, ବାଂଲାଦେଶ ଓ ପାକିସ୍ତାନରେ  ଶିଶୁ ଯୌନ ଅପରାଧ ମାମଲା ସବୁଠାରୁ ଅଧିକ  ପଞ୍ଜିକୃତ ହୋଇଥିଲା । ରିପୋର୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାରକୁ  ନେଇ ଚେତାବନୀ ଜାରି କରାଯାଇଛି । ୨୦୨୩  ଅପେକ୍ଷା ୨୦୨୪ରେ ଶିଶୁ ଯୌନ ଅପରାଧ  ମାମଲା ୧୩୧୫ ପ୍ରତିଶତ ବଢ଼ିଛି । ରିପୋର୍ଟରେ  ସବୁ ଦେଶ ଶିଶୁଙ୍କ ବିରୋଧରେ ହେଉଥିବା ଯୌନ  ଶୋଷଣକୁ ସାର୍ବଜନିକ ସ୍ୱାସ୍ଥ୍ୟ ସତର୍କତା ଭାବେ  ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।