ମୁମ୍ବାଇ,୨୧/୦୯: ଗତ ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିବା ରିଷଭ ପନ୍ତ ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଖେଳି ପାରିବେ ନାହିଁ । ଆସନ୍ତା ମାସ ପ୍ରାରମ୍ଭରୁ ଭାରତ ଆସି ୱେଷ୍ଟ ଇଣ୍ଡିଜ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ବେଳକୁ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇ ପାରିବେ ନାହିଁ । ଖାଲି ସେତିକି ନୁହେଁ, ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ପରେ ଭାରତୀୟ ଦଳ ସୀମିତ ଓଭର ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିବ। ପନ୍ତ ସେହି ସମୟ ବେଳକୁ ମଧ୍ୟ ଫିଟ୍ ହୋଇ ନଥିବେ ବୋଲି ଜଣା ପଡ଼ିଛି ।
ତାଙ୍କୁ ମ୍ୟାଚ୍ ଫିଟ୍ନେସ୍ ଫେରି ପାଇବା ପାଇଁ ଅତି କମ୍ରେ ୪ସପ୍ତାହ ସମୟ ଲାଗିବ । ତେଣୁ ନଭେମ୍ବରରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ସାରିଥିବେ । ପନ୍ତଙ୍କ ଅନୁପସ୍ଥିତିରେ ଧ୍ରୁବ ଜୁରେଲ ୱିକେଟ୍ କିପର ଦାୟିତ୍ୱ ତୁଲାଇବେ । ଦ୍ୱିତୀୟ ୱିକେଟ୍ କିପର ଭାବେ ନାରାୟଣ ଜଗଦୀଶନଙ୍କୁ ଚୟନ କର୍ତ୍ତାମାନେ ତାଲିକାରେ ରଖିଥିବା ଜଣା ପଡ଼ିଛି ।
ସୂଚନାଯୋଗ୍ୟ, ଜଗଦୀଶନ ଗତ ଦୁଲୀପ୍ ଟ୍ରଫିରେ ଶତକ ଅର୍ଜନ କରିଥିଲେ । ଜୁରେଲ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ ।