ନୂଆଦିଲ୍ଲୀ,୧/୧୧ : ଭାରତର ଭେଟରାନ ଟେନିସ ଖେଳାଳୀ ରୋହନ ବୋପନ୍ନାଙ୍କ ଅବସର ଘୋଷଣା । ୨୨ବର୍ଷର ଲମ୍ବା ଟେନିସ କ୍ୟାରିୟରରେ ନେଇଛନ୍ତି ବିଶ୍ରାମ । ୪୫ବର୍ଷୀୟ ବୋପନ୍ନା ପ୍ୟାରିସ ମାଷ୍ଟର୍ସ ୧୦୦୦ଟୁର୍ଣ୍ଣାମେଣ୍ଟରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଛନ୍ତି । ଚଳିତ ବର୍ଷ ବୋପନ୍ନା ଗ୍ରାଣ୍ଡ ସ୍ଲାମ୍ ଜିତି ଥିବା ସବୁଠାରୁ ବୟସ୍କ ଖେଳାଳୀର କୀର୍ତ୍ତିମାନ ରଚିଛନ୍ତି । ଏହାସହ ସେ ଡବଲ୍ସ ଟେନିସରେ ନମ୍ବର-୧ ଖେଳାଳୀ ହୋଇଥିବା ବିଶ୍ବର ସବୁଠାରୁ ବୟସ୍କ ଖେଳାଳୀ ହୋଇଛନ୍ତି।
ସେ ନିଜ ରିଟାୟରମେଣ୍ଟ ଉପରେ କହିଛନ୍ତି କି, ଆପଣ ଏଭଳି ଜିନିଷକୁ କିଭଳି ଅଲବିଦା କହିପାରିବେ, ଯିଏ ଆପଣଙ୍କୁ ଜୀବନର ମହତ୍ବ ଦେଇଛି । ୨୦ବର୍ଷରୁ ଅଧିକ ଚାଲିଥିବା ଏହି ଯାତ୍ରା ଏବେ ଅନ୍ତ ଘଟିଛି । ମୁଁ ଟେନିସରୁ ରିଟାୟରମେଣ୍ଟ ନେଉଛି । ଭାରତର ପ୍ରତିନିଧିତ୍ବ କରିବା ମୋ ଲାଗି ସବୁଠାରୁ ବଡ଼ ଗୌରବର ବିଷୟ ଅଟେ । ମୁଁ ଯେତେବେଳେ ବି କୋର୍ଟ ଉପରେ ଓହ୍ଲାଇଛି ମୁଁ ତ୍ରିରଙ୍ଗା ପାଇଁ ଖେଳିଛି ।
ଦୁଇ ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ରହିଥିବା ବୋପନ୍ନା ନିଜ ଐତିହାସିକ କ୍ୟାରିୟରର ଅନ୍ତ କରିଛନ୍ତି । ସେ ମ୍ୟାଥ୍ୟୁ ଏବ୍ଡେନଙ୍କ ସହ ୨୦୨୪ ଅଷ୍ଟେ୍ରଲିଆ ଓପନର ମେନ୍ସ ଡବଲ୍ସର ତାଜ୍ ଜିତିଛନ୍ତି । ଏହା ବ୍ୟତୀତ ସେ ଗୋବ୍ରିୟଲା ଡ୍ୟାବ୍ରୋସ୍କିଙ୍କ ସହ ୨୦୧୭ ଫ୍ରେଞ୍ଚ ଓପନର ମିକ୍ସ୍ଡ ଡବଲ୍ସ ତାଜ୍ ଜିତିଛନ୍ତି । ଏହାସହ ସେ ୪ଥର ଅନ୍ୟ ଗ୍ରାଣ୍ଡ ସ୍ଲାମ୍ ଫାଇନାଲ ଖେଳିଛନ୍ତି ।
ରୋହନ ତାଙ୍କ ଇନଷ୍ଟାଗ୍ରାମରେ ରିଟାୟରମେଣ୍ଟ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, ‘ଗୁଡବାୟ, କିନ୍ତୁ ଅନ୍ତ ନୁହେଁ’ । ସେ କହିଛନ୍ତି କି ଟେନିସ ତାଙ୍କ ଲାଗି କେବଳ ଏକ ଖେଳ ନୁହେଁ ବରଂ ସେ ତାଙ୍କ ଜୀବନକୁ ମହତ୍ବ ଦେଇଛି ଏବଂ ସଠିକ୍ ରାସ୍ତାକୁ ଆଣିଛି ।