ମୁମ୍ବାଇ  ୧୧/୧୦: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ରୋହିତ ଶର୍ମା ଆଗାମୀ  ଘରୋଇ ସିଜନରେ ବିଜୟ ହଜାରେ  ଟ୍ରଫି ଖେଳିବାକୁ ଯୋଜନା କରୁଥିବା  ଜଣାପଡ଼ିଛି । ବିଜୟ ହଜାରେ ଟ୍ରଫିରେ  ୬ରାଉଣ୍ଡ ଲିଗ୍‌ ମ୍ୟାଚ୍‌ ହେବ । ଏଥିରୁ  ରୋହିତ ୩ଟି ମ୍ୟାଚ ଖେଳିବା ସମ୍ଭାବନା  ରହିଛି । ଡିସେମ୍ବର ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ମୁମ୍ବାଇ  ପ୍ରଥମ ମ୍ୟାଚ୍‌ରେ ସିକିମକୁ ଭେଟିବ ।

ରୋହିତ ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ  ଅବସର ନେଇ ସାରିଛନ୍ତି । ୨୦୨୭  ଦିନିକିଆ ବିଶ୍ୱକପ୍‌ ଖେଳିବାର  ଆଶା ରଖିଥିବାରୁ କେବଳ ଦିନିକିଆ  ଫର୍ମାଟ୍‌ରେ ସେ ସକ୍ରିୟ ରହିଛନ୍ତି ।  ହେଲେ ଭାରତ ଆଗାମୀ ଦିନରେ ଖୁବ  କମ୍‌ ଦିନିକିଆ ମ୍ୟାଚ୍‌ ଖେଳିବ । ତେଣୁ  ଏଥିପାଇଁ ପ୍ରସ୍ତୁତ ହେବାକୁ ରୋହିତଙ୍କ  ନିକଟରେ ସୁଯୋଗ ନାହିଁ । ସେ କେବଳ ନେଟ୍ସରେ ନିୟମିତ ଅଭ୍ୟାସ କରି ପ୍ରସ୍ତୁତ ହେଉଛନ୍ତି । କେବଳ ବିଜୟ ହଜାରେ  ଟ୍ରଫି ଏକମାତ୍ର ଟୁର୍ଣ୍ଣାମେଣ୍ଟ ଭାବେ ତାଙ୍କୁ  ମ୍ୟାଚ୍‌ ଅଭ୍ୟାସ ସୁଯୋଗ ଦେଇ ପାରିବ ।