କଟକ,୧୮ା୯(ବ୍ୟୁରୋ): ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରାୟ ୩ ବର୍ଷ ଧରି ଚାଲିଛି । ରକ୍ତାକ୍ତ ସଂଘର୍ଷରେ ହଜାର ହଜାର ଜୀବନ ବଳି ପଡ଼ିଲାଣି । ବିଶ୍ୱବାସୀ ଏ ଯୁଦ୍ଧର ଭୟାବହତା ଦେଖୁଛନ୍ତି । କିନ୍ତୁ ଏ ଯୁଦ୍ଧନୀତିରୁ ବହୁ ଦୂରରେ ଓଡ଼ିଶା । ଏ ମାଟିରେ ଏକାଠି ହୋଇଛନ୍ତି ରୁଷ-ୟୁକ୍ରେନର ମହିଳା । ଚିୟର୍‌ ଲିଡର୍‌ ଭାବେ କ୍ରିକେଟ୍ ମଇଦାନରେ ପରସ୍ପରର ହାତ ଧରି ନୃତ୍ୟ ପରିବେଷଣ କରୁଛନ୍ତି । ସେ ପୁଣି ଓଡ଼ିଶା ବୁଣାକାରଙ୍କ ହାତବୁଣା ସମ୍ବଲପୁରୀ ଶାଢୀ ପିନ୍ଧି । ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍‌ରେ ମ୍ୟାଚର ଛକା, ଚୌକା ଓ ୱିକେଟ୍ ପତନରେ ଓଡ଼ିଆ ଗୀତରେ ଏହି ଚିୟର୍‌ ଲିଡରଙ୍କ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି ।

ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ଗତକାଲି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍‌ । ଆୟୋଜନ ଦୃଷ୍ଟିକୋଣରୁ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ ଓସିଏ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚିୟର୍‌ ଲିଡର୍‌ଙ୍କୁ ଆଣିଛି । ଆଇପିଏଲ୍‌ ଭଳି ଏମାନଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍‌ ପଡ଼ିଆ ପାଶ୍ୱର୍ରେ ଏକ ମଞ୍ଚ କରାଯାଇଛି । ରୁଷ୍‌, ୟୁକ୍ରେନ୍‌ ସହିତ ସ୍ପେନ୍‌ରୁ ୮ଜଣ ଚିୟର୍‌ ଲିଡର୍‌ ଆସିଛନ୍ତି । ଏକ ଏଜେନ୍ସି ମାଧ୍ୟମରେ ଏମାନେ ଏଠାକୁ ଆସି ମ୍ୟାଚରେ ନୃତ୍ୟ ପରିବେଷଣ କରୁଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧି ନୃତ୍ୟ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଯାହାକୁ ନେଇ ସେମାନେ ମଧ୍ୟ ବେଶ୍‌ ଉତ୍ସାହିତ ।

ଜଣେ ଚିୟର ଲିଡର ସୋଫିଆ କହିଛନ୍ତି, ‘ପ୍ରଥମ ଥର ଏଭଳି ଶାଢୀ ପିନ୍ଧି ନୃତ୍ୟ ପରିବେଷଣ କରୁଛୁ । ଶାଢ଼ୀ ପିନ୍ଧିବାର ଶୈଳୀ ବି ବେଶ୍‌ ନିଆରା ଲାଗୁଛି । ଶାଢୀ ପିନ୍ଧିବାର ଅଭିଜ୍ଞତାକୁ ନେଇ ଆମେ ବହୁତ ସେଲ୍‌ଫି ବି ଉଠାଇଛୁ ।’ ୟୁକ୍ରେନ୍‌ରୁ ଆସିଥିବା ସୋଫିଆ ଗତ ଦୁଇମାସ ତଳେ ଚିୟର୍‌ ଲିଡର୍‌ କାମ ଆରମ୍ଭ କରିଛନ୍ତି । ୟୁକ୍ରେନ୍‌ରୁ ବନ୍ଧୁଙ୍କ ସହାୟତାରେ ଦିଲ୍ଲୀକୁ ଆସି ସେଠାରେ ଏ ପେସାରେ ଯୋଗ ଦେଇଥିଲେ । ତାଙ୍କ ଟିମ୍‌ରେ ରୁଷ୍‌ରୁ ମଧ୍ୟ ୪ଜଣ ସଦସ୍ୟ ରହିଛନ୍ତି । ଏମାନେ ଏକାଠି ମେସ୍‌ କରି ରୁହନ୍ତି ଏବଂ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ତିକ୍ତ ସମ୍ପର୍କ ସତ୍ତେ୍ୱ ଏମାନେ ଭାରତରେ ରହି ମିଳିମିଶି ଚଳିବା ସହିତ ପେସାରେ ଏକାଠି ଆଗେଇବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ପ୍ରଥମଥର ଓଡ଼ିଶା ଆସିବା ସହିତ ଶାଢୀ ପିନ୍ଧି ନୃତ୍ୟ ପରିବେଷଣ କରିବା ତାଙ୍କୁ ଭିନ୍ନ ଅନୁଭବ ଦେଉଛି ବୋଲି ଟିମ୍‌ର ଅନ୍ୟତମ ସଦସ୍ୟ ଏଲିସା ସିଲ୍‌ଭା ଫାନ୍‌ଟିନ୍‌ କହିଛନ୍ତି ।