ଭୁବନେଶ୍ୱର,୧୭/୧୦:  ପୁଲିସ ଏସ୍‌ଆଇ କେଳେଙ୍କାରୀ  ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ସଫଳତା  ମିଳିଛି । ଏହି ଘଟଣାରେ ମୁଖ୍ୟ କାର୍ପଟଦାର ମୁନା ମହାନ୍ତିଙ୍କୁ ଗିରଫ  କରିଛି କ୍ରାଇମ୍‌ବ୍ରାଞ୍ଚ । ନୟାଗଡ଼ ଜିଲ୍ଳା  ଦଶପଲ୍ଳା ଅଞ୍ଚଳର ଏକ ଫାର୍ମହାଉସ୍‌ରେ  ସେ ଲୁଚିଥିଲେ । କ୍ରାଇମ୍‌ବ୍ରାଞ୍ଚ ସେଠାରେ  ଚଢ଼ଉ କରି ମୁନା ଓ ତାର ଦୁଇ ସହଯୋଗୀଙ୍କୁ  ଗିରଫ କରି ବ୍ରହ୍ମପୁର ନେଇଛି । ଶୁକ୍ରବାର କୋର୍ଟ  ଚାଲାଣ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ସୂଚନା  ଦେଇଛନ୍ତି ।

ଏସ୍‌ଆଇ ଜାଲିଆତିର ମାଷ୍ଟରମାଇଣ୍ଡ ହେଉଛନ୍ତି ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି । ଶଙ୍କରର ବହୁ ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀ  ଓ ପୁଲିସ ଅଧିକାରୀଙ୍କ ସହ ସଂପର୍କ  ରହିଛି । ଶଙ୍କରର ଦୁଇଟି କମ୍ପାନି ଥିଲା ।  ଗୋଟିଏ ପାନ୍‌ସଫ୍ଟ ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ ଓ  ଅନ୍ୟଟି କେଦାରନାଥ ଟେକ୍ନୋଲୋଜିସ୍‌ । ଏସ୍‌ଆଇ  ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିଲା ପାନ୍‌ସଫ୍ଟ ।  ଶଙ୍କରର ଅତି ଖାସ୍‌ ଥିଲା ମୁନା ମହାନ୍ତି ।ବିଭିନ୍ନ ପର୍ଯ୍ୟାୟରେ ୩ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ  ନେଇ ଆନ୍ଧ୍ରପ୍ରଦେଶରେଲିଖିତ ପରୀକ୍ଷା ପାଇଁ ତାଲିମ୍‌  ପାଇଁ ଯୋଜନା ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ  ପର୍ଯ୍ୟାୟରେ ଏମାନେ ସଫଳ ହୋଇଥିଲେ । ତୃତୀୟ  ପର୍ଯ୍ୟାୟରେ ୧୧୪ ପରୀକ୍ଷାର୍ଥୀ ଆନ୍ଧ୍ରପ୍ରଦେଶ ଯାଉଥିଲା  ବେଳେ ବ୍ରହ୍ମପୁର ପୁଲିସ୍‌ ଗିରଫ ଗିରଫ କରିଥିଲା । ଏଥି ସହ ୬ ଜଣ ଦଲାଲ୍‌ ମଧ୍ୟ ଗିରଫ ହୋଇଥିଲା ।  ଏହି ସମୟରେ ଜଣାପଡିଥିଲା ସବୁ ପରୀକ୍ଷାର୍ଥୀଙ୍କୁ  ମୁନା ଯୋଗାଡ଼ କରିଥିଲା । ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ  ୨୫ ଲକ୍ଷ ଟଙ୍କା ଲେଖାଏଁ ନେବାକୁ ଡିଲ୍‌ ହୋଇଥିଲା ।  ଅଗ୍ରୀମ ଆକାରରେ ୫ରୁ ୧୦ ଲକ୍ଷ ଟଙ୍କା ଲେଖାଏଁ  ମୁନା ଆଦାୟ କରିଥିଲା । ପରୀକ୍ଷାର୍ଥୀ ଓ ଦଲାଲ୍‌  ଗିରଫ ହେବା ପରେ ଶଙ୍କର ଓ ମୁନା ଫେରାର  ହୋଇଯାଇଥିଲେ ।

ଗତ ୧ ତାରିଖଠାରୁ ଏହି ଦୁଇ ଜଣଙ୍କୁ  ଖୋଜୁଥିଲା କ୍ରାଇମ୍‌ବ୍ରାଞ୍ଚ । ଶଙ୍କର ଓ ମୁନା ନାଁରେ  କ୍ରାଇମ୍‌ବ୍ରାଞ୍ଚ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ।  ଶଙ୍କର ଦେଶ ଛାଡି ଫେରାର ହୋଇଯାଇଥିବା  ଜଣାପଡିଛି । ମୁନା, ପିଙ୍କୁ ଓ ଅନ୍ୟ ଜଣେ ସହଯୋଗୀ  ଦଶପଲ୍ଳାରେ ଜଣେ ବ୍ୟକ୍ତିଙ୍କ ଫାର୍ମହାଉସ୍‌ରେ  ଲୁଚିଥିଲେ । ପରୀକ୍ଷାର୍ଥୀଙ୍କ ଠାରୁ ମୁନା ଓ ତାର ସହଯୋଗୀମାନେ ଅଗ୍ରୀମ ଟଙ୍କା ଆଣି କେଉଁମାନଙ୍କୁ  ଦେଇଛନ୍ତି ସେ ବିଷୟରେ ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ  ମୁନାକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ବଡ଼  କଥା ହେଲା ୨୦୨୩ ଜେଇ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ  ମୁନାର ହାତ ଥିବା ଜଣାପଡିଛି ।

 ମୁନା ଘର ବାଙ୍କୀ କଳାପଥରସ୍ଥିତ ତଳସାହିରେ ।  ତା’ ବିଷୟରେ ଖୋଳତାଡ଼ କରିବାରୁ ଅନେକ ତଥ୍ୟ  ପୁଲିସ୍‌ ପାଇଛି । ମୁନା ମାଟ୍ରିକ୍‌ ଫେଲ୍‌ ହେବା ପରେ  ଗାଁରେ ଲୁଚାଛପାରେ ଗଞ୍ଜେଇ ପୁଡିଆ ବିକୁଥିଲା ।  ପରେ ହଠାତ୍‌ ପ୍ଲଟ୍‌ ବ୍ୟବସାୟରେ ମନ ଦେଇ  ରାତାରାତି ଲକ୍ଷପତି ହେବାର ନିଶା ମୁନା ମୁଣ୍ଡରେ  ସବାର୍‌ ହେଲା । ଭୁବନେଶ୍ୱର ଯାଇ ସେଠାରେ  କିଛି ବିଲ୍‌ଡର୍‌ ସଂସ୍ଥା ସହ ଯୋଗାଯୋଗରେ ରହି ସେମାନଙ୍କୁ ବାଙ୍କୀ, ଆଠଗଡ଼, ବଡମ୍ବା ଆଦି  ଅଞ୍ଚଳରେ ଜମି ରେଜିଷ୍ଟ୍ରି କରିବାରେ ସହଯୋଗ  କଲା । ଏ ବାବଦରେ ମିଳୁଥିବା କମିସନ୍‌ରେ କିଛି ଦିନ  ଭିତରେ ମୁନାର ଚଳଣି ସମ୍ପୂର୍ଣ୍ଣ ବଦଳି ଯାଇଥିଲା ।  ଭୁବନେଶ୍ୱରରେ ରହିବା ସହ ଗାଁକୁ ଆସିବା ବେଳେ  ନୂଆ ନୂଆ କାର୍‌ ନେଇ ଆସୁଥିଲା । କେବଳ ପ୍ଲଟିଂ  ନୁହେଁ ଗାଡ଼ି କିଣାବିକା ଓ ଘରୋଇ ସଂସ୍ଥାରେ ନିଯୁକ୍ତି  କରାଇଦେବା କଥା କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ  ଟଙ୍କା ନେଇଥିଲା ମୁନା । ଦଲାଲି କରିବା ସମୟରେ  ମୁନା ସହ ଶଙ୍କରର ପରିଚୟ ହୋଇଥିଲା ।