ଅସଲି ରହିବେ । ଭୋଟର୍ ତାଲିକାରୁ ହଟିବେ ନକଲି । ୨୧ ବର୍ଷ ପରେ ଦେଶରେ ପୁଣି ଆରମ୍ଭ ହୋଇଛି ଏସ୍ଆଇଆର୍ । ଏହା ଏବେ ବିବାଦ ଓ ବିତର୍କର ଘେରାବନ୍ଦୀରେ । ବିରୋଧୀ ନିଆଁବାଣ ହୋଇ ପଡ଼ିଥିଲା ବେଳେ ବିଜେପି ପାଲଟା ଆକ୍ରମଣ କରିଛି । ସମର୍ଥ ଓ ସଶକ୍ତ ଗଣତନ୍ତ୍ର ହେଉଛି ସଚେତନ ନାଗରିକଙ୍କ ଅବଦାନ । ଏସ୍ଆଇଆର୍ ନିରପେକ୍ଷ ଓ ସ୍ୱଚ୍ଛତା ସହକାରେ ସଂପନ୍ନ ହେଲେ ଜଣେ ବି ନାଗରିକ ଭୋଟ୍ଦାନ ଅଧିକାରରୁ ବଞ୍ଚିତ ହେବନି । ଏହାକୁ ସୁନିଶ୍ଚିତ କରନ୍ତୁ ନିର୍ବାଚନ କମିଶନ୍ ।
କେତେ ଅସଲି । କେତେ ନକଲି । ଜାଲିଆତି ହୋଇଛି କି ନାହିଁ । ହେବ ଟିକିନିଖି ଯାଞ୍ଚ । ଦେଶର ଭୋଟର୍ ତାଲିକାର ହେବ ଶୁଦ୍ଧିକରଣ । ଆରମ୍ଭ ହୋଇଛି ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) । ଅସଲ ଭାରତୀୟ ଚିହ୍ନଟ ହେବେ । ବାଛିବେ ଲୋକ ପ୍ରତିନିଧି । ଗଣତନ୍ତ୍ର ଅଧିକ ସୁଦୃଢ଼ ହେବ । ସଶକ୍ତ ହେବ ଶାସନ । ଏସଆଇଆର୍କୁ ନେଇ ବିରୋଧୀ ଖପ୍ପା । ନିର୍ବାଚନ କମିଶନଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ‘ଭୋଟ ଚୋରି’ର ଅଭିଯୋଗ ଆଣିଛନ୍ତି । ଶାସକ ବିଜେପି ଅଣବିଜେପି ଭୋଟର୍ଙ୍କୁ ହଟାଇବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଆରୋପ ଲଗାଇଛନ୍ତି । ଏସ୍ଆଇଆର୍କୁ ନେଇ ବିବାଦ ଓ ବିତର୍କ ତେଜୁଛି । ଭାରତୀୟ ନିର୍ବାଚନ କମିଶନ ଏବେ ପାଲଟିଛି ବଡ଼ ଖବର ।
ଆରମ୍ଭରୁ ହୋହଲ୍ଲା
ପାଟନାରୁ ଚେନ୍ନାଇ ଭାୟା କୋଲକାତା । ଘରେ ପଶୁ ପଶୁ ବାଜିଲାଣି ଚାଳ । ବିହାର ପରେ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଭଳି ରାଜ୍ୟ ଅଛି । ଏସ୍ଆଇଆର୍ ପ୍ରକ୍ରିୟା ନଭେମ୍ବର ୪ରୁ ଚାଲିବ । ଆସନ୍ତା ବର୍ଷ ୭ ଫେବ୍ରୁଆରୀରେ ଚୂଡ଼ାନ୍ତ ଭାଟର ତାଲିକା ପ୍ରକାଶିତ ହେବ । ବିହାରରେ ଏସ୍ଆଇଆର୍ ସମୟରେ ଆଧାରକୁ ପରିଚୟ ପତ୍ର ଭାବେ ଗ୍ରହଣ କରିନଥିଲେ ନିର୍ବାଚନ କମିଶନ । ରାଜନୈତିକ ବିବାଦ ଆଣିଥିଲା ହଙ୍ଗାମା । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା । କୋର୍ଟ ନିର୍ଦ୍ଦେଶରେ କମିଶନ ପରେ ଏହାକୁ ଏକ ବୈଧ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଲେ । ବିହାରରେ ସମ୍ପୂର୍ଣ୍ଣ ଏସ୍ଆଇଆର୍ ପ୍ରକ୍ରିୟା ପ୍ରାୟ ଅଢ଼େଇ ମାସ ଧରି ଚାଲିଥିଲା । ଏଥର ଏ ବିଶାଳ ଶୁଦ୍ଧିକରଣ ପ୍ରକ୍ରିୟା ତିନି ମାସରୁ ଅଧିକ ସମୟ ଚାଲିବ । ଏସଆଇଆର୍କୁ ନେଇ ନିର୍ବାଚନ କମିଶନ ‘ବ୍ରେକିଂନ୍ୟୁଜ’ରେ ଅଛନ୍ତି । ଦେଶରେ କିନ୍ତୁ ଆରମ୍ଭ ହୋଇଛି ପ୍ରତିବାଦ । ହୋହଲ୍ଲା, ଆରୋପ ଓ ପ୍ରତ୍ୟାରୋପର ଛକିଶୂନ ଖେଳ । କଂଗ୍ରେସ ଏହା ମୋଦି ସରକାରଙ୍କ ‘ଗେମ୍ପ୍ଲାନ’ ବୋଲି କହୁଛି । ନିର୍ବାଚନ କମିଶନ ବିଜେପିର ହାତବାରିସୀ ସାଜିଛନ୍ତି । କେନ୍ଦ୍ର ଇସାରାରେ ଉଠବସ ହୋଇ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ମାଟିରେ ମିଶାଇବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ରାହୁଲ ଓ ପ୍ରିୟଙ୍କା ଅଭିଯୋଗ କରୁଛନ୍ତି । ବିଦେଶୀ ଓ ଅନୁପ୍ରବେଶକାରୀଙ୍କୁ ଭୋଟ୍ ତାଲିକାରୁ ବାଦ ଦେବା ବାହାନାରେ କମିଶନ ବହୁ ସଂଖ୍ୟାରେ ଅସଲି ଭାରତୀୟଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେବାକୁ ବସିଛନ୍ତି । ମମତା ବାନାର୍ଜୀ, ଷ୍ଟାଲିନ୍ ମଧ୍ୟ ଜୋରଦାର ବିରେଧ କରୁଛନ୍ତି । ବିଜେପିର ଜବାବ ହେଲା, ବିରୋଧୀ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ହିସାବ କହୁଛି, ପ୍ରାୟ ୫୧ କୋଟି ମତଦାତାଙ୍କ ଅସଲି ପରିଚୟର ତନ୍ନ ତନ୍ନ ଯାଞ୍ଚ ହେବ । ବିହାରରେ ପ୍ରାୟ ୪ ଲକ୍ଷ ବାଦ୍ ପଡ଼ିଥିଲାବେଳେ ଏବେ କେତେ ଭୋଟର୍ ତାଲିକାରେ କଟୁଛନ୍ତି ତାହାର ଜବାବ ସମୟ ହିଁ ଦେବ ।
ଭାରତୀୟ ହିଁ ବାଛିବେ ପ୍ରତିନିଧି
କାହିଁକି ଏସ୍ଆଇଆର୍ । ଆପଣଙ୍କ ମନରେ ନିଶ୍ଚୟ ଏମିତି ପ୍ରଶ୍ନ ଆସୁଥିବ । ଏ ସଂପର୍କରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଯୁକ୍ତି ହେଲା ଭୋଟର ତାଲିକାରୁ ନକଲି ମତଦାତାଙ୍କୁ ହଟାଇବା ହିଁ ଏସ୍ଆଇଆରର୍ ମୂଳ ଉଦ୍ଦେଶ୍ୟ । ଆମ ଦେଶର ଅଧିକାଂଶ ରାଜ୍ୟରେ ବାଂଲାଦେଶୀ ଓ ନେପାଳୀ ଅନୁପ୍ରବେଶକାରୀ ଅଛନ୍ତି । ସେମାନେ ଭୋଟ୍ ପରିଚୟପତ୍ର ହାତେଇ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଭାଗ ନେଇ ନେତା ବାଛୁଛନ୍ତି । ଭୋଟ୍ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି । କିଛି ବିଦେଶୀ ଶକ୍ତି ମଧ୍ୟ ଏହି ଅନୁପ୍ରବେଶକାରୀଙ୍କୁ ଭାରତ ବିରୋଧୀ ଅଭିଯାନରେ ବ୍ୟବହାର କରୁଛନ୍ତି । ମୃତ ଓ ଏକାଧିକ ସ୍ଥାନରେ ନାଁ ଥିବା ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯିବ । ଏପରିକି ବେଆଇନ ଭାବେ ବିଦେଶୀ ନାଗରିକମାନଙ୍କୁ ଭୋଟର୍ ତାଲିକାରେ ସାମିଲ କରାଯାଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଅସଲ ଭାରତୀୟମାନେ ହିଁ ନିଜ ମତାଧିକାର ସାବ୍ୟସ୍ତ କରି ଲୋକ ପ୍ରତିନିଧି ବାଛିବେ । ଏହା ଆମ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ମଜଭୁତ କରିବ । ତେବେ ଏହା ସମସ୍ତଙ୍କୁ ସନ୍ତୁଷ୍ଟ କରିପାରି ନାହିଁ ।
ଦେଶରେ ୧୯୫୧ରୁ ୨୦୦୪ ମଧ୍ୟରେ ୮ଥର ଏସ୍ଆଇଆର୍ ହୋଇଛି । ୨୧ ବର୍ଷ ପରେ ଦେଶରେ ଏ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । କମିଶନଙ୍କ ଯୁକ୍ତି ହେଲା, ବହୁ ସଂଖ୍ୟାରେ ଲୋକ କାମଧନ୍ଦା ପାଇଁ ଏହି ସମୟରେ ରହୁଥିବା ସ୍ଥାନରେ ନିଜକୁ ଭୋଟର୍ ଭାବେ ପଞ୍ଜିକରଣ କରାନ୍ତି । କିନ୍ତୁ ପୁରୁଣା ସ୍ଥାନରେ ପଞ୍ଜିକୃତ ଭୋଟର୍ ତାଲିକାରୁ ନାଁ କଟେ ନାହିଁ । ଜଣେ ଭୋଟର୍ଙ୍କ ନାଁ ଦୁଇଟି ସ୍ଥାନରେ ଗଡ଼ୁଥାଏ । ସେହିପରି ମୃତ ବ୍ୟକ୍ତିଙ୍କ ନାଁ ହଟାଇବାକୁ କେହି ଆବେଦନ କରନ୍ତିନି । ତେଣୁ ଭୋଟର୍ ତାଲିକା ସଂଶୋଧନର ଆବଶ୍ୟକତା ରହିଛି । ୧୨ଟି ଦସ୍ତାବିଜକୁ ବିଚାରକୁ ନିଆଯାଇ ଭୋଟର୍ ତାଲିକା ପ୍ରକାଶ କରାଯିବ । ଏ ଦ୍ୱିତୀୟ ଦଫା ସଘନ ସଂଶୋଧନ ବିହାରଠାରୁ ଭିନ୍ନ ହେବ । ଓଡ଼ିଶାରେ ମଧ୍ୟ ଆଗକୁ ଏ ପ୍ରକ୍ରିୟା ଚାଲିବ । ରାଜ୍ୟରେ ଲକ୍ଷ ଲକ୍ଷ ଭୋଟର କମିଶନଙ୍କ ସ୍କାନରରେ ଅଛନ୍ତି ବୋଲି କୁହାଯାଉଛି । ବହୁ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭୋଟର୍ ତାଲିକା ହାତେଇଥିବାର ଅଭିଯୋଗ କମିଶନଙ୍କ ନିକଟରେ ପହଞ୍ଚିଛି । ଭାରତ ନିର୍ବାଚନ ଆୟୋଗ (ଇସିଆଇ)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପାଇଁ ରାଜ୍ୟ ପ୍ରସ୍ତୁତ ବୋଲି ଦର୍ଶାଇଛନ୍ତି ।
ସମୟକୁ ନେଇ ବିରୋଧୀ ନିଆଁବାଣ
ଆକସ୍ମିକ ନିଷ୍ପତ୍ତି ଛିଡ଼ା କରାଇଛି ସନ୍ଦେହ । ଏବେ କାହିଁକି ଏସଆଇଆର୍ । କମିଶନଙ୍କ ଏ ନିଷ୍ପତ୍ତି ପଛରେ ଅଛି କି ‘ଗୁପ୍ତ ଏଜେଣ୍ଡା’? ପଦ୍ମ ପାର୍ଟି ଏଥିରୁ ଭରପୁର ଲାଭ ଉଠାଇବ କି? ରାଜନୈତିକ ଦଳ ମନରେ ଏମିତି ପ୍ରଶ୍ନର ପାହାଡ଼ । ବୁଢ଼ିଆଣି ଜାଲ ଭଳି ପ୍ରଶ୍ନ ଗୁଡ଼େଇ ତୁଡ଼େଇ ହେଉଛି । ୨୦୨୮ ପୂର୍ବରୁ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ପାଇଁ ହେବ ଭୋଟ୍ । ତା ପୂର୍ବରୁ ଏସଆଇଆର୍ ପ୍ରତି ନିର୍ବାଚନ କମିଶନ ମାତ୍ରାଧିକ ଆଗ୍ରହ ଦେଖାଇବା ବିରୋଧୀଙ୍କ ମନରେ ଛନକା ପୂରାଇଛି । ଆରମ୍ଭ ହୋଇଛି ତୁମ୍ବିତୋଫାନ । ଆସାମ କିନ୍ତୁ ଏଥିରୁ ବାଦ୍ ପଡ଼ିବା ନିଆଁରେ ଢାଳିଛି ଘିଅ ।
ଏଭଳି ଏକ ସ୍ପର୍ଶକାତର ପ୍ରକ୍ରିୟାକୁ ନେଇ ଯେତିକି ଆଲୋଚନା, ବିଚାରବିମର୍ଶ, ବିତର୍କ ଓ ସଚେତନତାର ଆବଶ୍ୟକତା ଥିଲା ତାହାକୁ କମିଶନ ଏଡ଼ାଇ ଯାଇଛନ୍ତି । ନିଃସନ୍ଦେହ ଭୋଟର ତାଲିକା ଶୁଦ୍ଧିକରଣର ଆବଶ୍ୟକତା ରହିଛି । ଏ ଦିଗରେ ସଂସ୍କାରମୂଳକ ପଦକ୍ଷେପ ସ୍ୱାଗତଯୋଗ୍ୟ । ମାତ୍ର ଏହାକୁ ବିହାର ଭୋଟ୍ ପୂର୍ବରୁ ଯେତିକି ତତ୍ପରତାର ସହ କରାଗଲା ତାହା ସନ୍ଦେହର କୁହେଳିକା ଛିଡ଼ା କଲା । ଏବେ ପୁଣି ଏଥିରୁ ଆସାମ ବାଦ୍ ପଡ଼ିଛି । ଏବଂ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ସାମିଲ କରିବା ବିରୋଧୀଙ୍କ ହଜମ ହେଉନି । ଆସନ୍ତା ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରିରେ ହେବ ଭୋଟ୍ । ତା ପୂର୍ବରୁ ଏସଆଇଆର୍କୁ ନେଇ ବିରୋଧୀ ନିଆଁବାଣ । ଏ ସଂଶୋଧନ ଆଳରେ ଜାତୀୟ ନାଗରିକ ପଞ୍ଜିକରଣକୁ ବୁଲେଇ ବଙ୍କେଇ କାର୍ଯ୍ୟକାରୀ କରିବାର ଏହା ହେଉଛି ଛଦ୍ମ ମଡେଲ । ବିଜେପି କିନ୍ତୁ ପାଲଟା ବାଣ ମାରି କହୁଛି, ସ୍ୱଚ୍ଛତାକୁ ବିରୋଧୀଙ୍କ ଭୟ କାହିଁକି? ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ତାଙ୍କୁ ସରକାରଙ୍କ ସହ ଯୋଡ଼ିବା ଅର୍ଥ ସମ୍ବିଧାନକୁ ଅପମାନ କରିବା । ଲୋକ ସବୁ ଜାଣୁଛନ୍ତି ।
ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ ହେବା ଜରୁରି । ଏ ତାଲିକାକୁ ସଂଶୋଧନ କରିବା ପାଇଁ ନିର୍ବାଚନ କମିଶନଙ୍କ ପୂର୍ଣ୍ଣ ଅଧିକାର ରହିଛି । ୨୦୦୩ ମସିହାରେ କମିଶନ ଭୋଟରମାନଙ୍କୁ ନାଗରିକତ୍ୱ ପ୍ରମାଣ କରିବା ପାଇଁ କିଛି ଦଲିଲ ଦାଖଲର ନିୟମ ଥିଲା ନା ନାହିଁ କମିଶନ ଚୁପ୍ । ମାତ୍ର ଏବେ ନାଗରିକତ୍ୱ ପ୍ରମାଣ କରିବାକୁ କାଗଜପତ୍ର ଦାଖଲ ପାଇଁ କମିଶନଙ୍କ ଜିଦ୍ ସନ୍ଦେହକୁ ବଳୁଆ କରିଛି ।
ଭୋଟ୍ ସଂସ୍କାର ସବୁବେଳେ ସ୍ୱାଗତଯୋଗ୍ୟ । ଭୋଟ୍ଦାନ ହେଉଛି ଜଣେ ଭାରତୀୟର ସାମ୍ବିଧାନିକ ଅଧିକାର । ହେଲେ ଗଣତନ୍ତ୍ରର ଏ ଅଧିକାରରୁ ଜଣେ ବି ନାଗରିକ ବଞ୍ଚିତ ନହେବା ଆବଶ୍ୟକ । ସମର୍ଥ ଓ ସଶକ୍ତ ଗଣତନ୍ତ୍ର ହେଉଛି ସଚେଚନ ନାଗରିକଙ୍କ ଅବଦାନ । ଏସ୍ଆଇଆର୍ ପ୍ରକ୍ରିୟାରେ ଆମେ ସନ୍ଦିଗ୍ଧ ବ୍ୟକ୍ତି, ବିଦେଶୀ, ଭୂତଙ୍କୁ ବାଦ୍ ଦେବା ଭଲ କଥା । ମାତ୍ର ଜଣେ ହେଲେ ପ୍ରକୃତ ଭାରତୀୟ ନାଗରିକ ଯେମିତି ଏ ପ୍ରକ୍ରିୟାରେ ବଳି ନ ପଡ଼ିବ, ସେଥିପ୍ରତି କମିଶନ୍ ଯତ୍ନବାନ ହୁଅନ୍ତୁ । ଦେଶବାସୀଙ୍କୁ ଦେବେ କି ଗ୍ୟାରେଣ୍ଟି?