ପୁରୀ,୦୮/୧୧: ବାହାର କାଠ  ନିକଟରେ ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ  କରିବା ଏବଂ ଅର୍ଥ ଆଦାୟକୁ ନେଇ  ପରସ୍ପର ମଧ୍ୟରେ ମାର୍‌ପିଟ ହୋଇଥିଲେ  ଦୁଇ ସେବାୟତ । ଗଣ୍ଡଗୋଳ କରି  ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ  ଆଘାତ କରିଥିଲେ । ତେଣୁ ସୁଆର  ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ  ମନ୍ଦିର ଆଇନ ୧୯୫୫ର ୨୧ (କ)  ଧାରା ଅନୁଯାୟୀ ୨ ମାସ ପାଇଁ ନିଲମ୍ବନ  କରିଛନ୍ତି । ଗତ ମାସରେ ଘଟିଥିବା  ଘଟଣାକୁ ତଦନ୍ତ କରି ମୁଖ୍ୟ ପ୍ରଶାସନ ଏହି  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସେହିଭଳି ମହାପ୍ରସାଦ  ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିସରକୁ  ଡାଲ୍‌ଡା ଘିଅ ଆଣିବାକୁ ପ୍ରରୋଚନା  କରିଥିବାରୁ ମହାସୁଆର ସେବକ ବେନା  ମହାସୁଆରଙ୍କୁ ମଧ୍ୟ ୨ ମାସ ପାଇଁ  ସେବାକାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ନିଲମ୍ବନ ସମୟରେ ସେମାନେ  ନିଜେ କିମ୍ବା ଅନ୍ୟ କୌଣସି ସେବାୟତ  କିମ୍ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା କୌଣସି  ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା  କଲେ ନିଲମ୍ବନ ଅବଧି ବୃଦ୍ଧି ସହ ଆହୁରି  କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଉପରୋକ୍ତ ୩  ସେବକଙ୍କୁ ସ୍ପଷ୍ଟ ଚେତେଇ ଦିଆଯାଇଛି ।

ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ  ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ  ଦର୍ଶନରେ କୌଣସି ପ୍ରକାର ବାଧକ ସାଜିଲେ, ସମ୍ପୃକ୍ତ ସେବାୟତ କିମ୍ବା ଅନ୍ୟ  ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀ ଗଣମାଧ୍ୟମକୁ ପ୍ରେସ୍‌ ବାର୍ତ୍ତାରେ  ଜଣାଇଛନ୍ତି । ଏଥିସହ ଶ୍ରୀମନ୍ଦିରରେ  ଶୃଙ୍ଖଳା ଏବଂ ଗରିମା ରକ୍ଷା ପାଇଁ ମଧ୍ୟ ସେ  ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।