ମାଲକାନଗିରି, ୧୫/୧୦ : ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟଠାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଶ୍ରେଷ୍ଠ ପୂଜା ପେଣ୍ଡାଲକୁ ପୁରସ୍କୃତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ । ସଂପ୍ରତି ପୂଜାପାର୍ବଣରେ ଆଧ୍ୟାତ୍ମିକତା ପରିବେଶ କମ୍ ପରିଲକ୍ଷିତ ହେଉଛି । ତେଣୁ ପାରଂପରିକ ଆଧ୍ୟାତ୍ମିକ ଭାବନା ଓ ପରିବେଶକୁ ବଜାୟ ରଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆରକ୍ଷୀ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ମତ ପ୍ରକାଶ କରିଥିଲେ ।
ଯେତେ ସମ୍ଭବ କମ୍ ଶବ୍ଦ ପ୍ରଦୂଷଣ, ପରିଷ୍କାର ପରିଚ୍ଛନ୍ନତା, ଶୃଙ୍ଖଳିତ ଭଷାଣି, ପୂଜା ପେଣ୍ଡାଲରେ ଶାନ୍ତି ଶୃଙ୍ଖଳା ଇତ୍ୟାଦିକୁ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଟିଲ କହିଛନ୍ତି । ଏହି ଅବସରରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଆଗମୀ ଦିନରେ ଆରକ୍ଷୀ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସଚେତନତା ପାଇଁ ସ୍ଥାନୀୟ ଲୋକଙ୍କର ଭାଗିଦାରୀତା ଏବଂ ସହଯୋଗ କାମନା କରିଥିଲେ। ସର୍ବ ଶ୍ରେଷ୍ଠ ପୂଜା ପେଣ୍ଡାଲ ଭାବେ ସୁବାଷ ବୋଷ ଟାଉନ୍ କ୍ଲବ୍ ସାର୍ବଜନୀନ ଦୁର୍ଗାପୂଜା କମିଟିକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୁର୍ଗାଗୁଡ଼ି ସାହି ସାର୍ବଜନୀନ ଦୁର୍ଗା ପୂଜା କମିଟି ଓ ଜୟ ଜଗନ୍ନାଥ ବହୁମୁଖି ଉନ୍ନୟନ ସମିତି ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ଯୁଗ୍ମ ଭାବେ ଦ୍ଵିତୀୟ ପୁରସ୍କାର ଦିଆଯାଇଛି। ନାରୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଇତ୍ୟାଦି ସଚେତନତା ବିଷୟବସ୍ତୁ ପ୍ରଦର୍ଶନ କରିଥିବାରୁ ବିଚାରକ ମଣ୍ଡଳୀ ସଂରକ୍ଷିତ ଆରକ୍ଷୀ ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ତୃତୀୟ ପୁରସ୍କାର ରୂପେ ଚୟନ କରିଥିଲେ।
ସେହିପରି ଡିଏନକେ ଖେଳ ପଡ଼ିଆ ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ମଧ୍ଯ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସାର୍ବଜନୀନ ଦୁର୍ଗା ପୂଜା କମିଟି ଗଣ୍ଡିଆଗୁଡା, କୋର୍ଟ ଛକ ଓ ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗକୁ ଶାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଗୋଇନ୍ଦା) ରାଜ କିଶୋର ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଥାଉ କି, ଶ୍ରେଷ୍ଠ ପୂଜା ପେଣ୍ଡାଲ ଚୟନ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟ ରଞ୍ଜନ ଦଳେଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ୍ କିଣ୍ଡୋ, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ଡ଼ା ରଞ୍ଜନ ସ୍ବାଇଁ ଓ ଏମଭି-୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଈଶ୍ୱର ରାଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶ ଓ ପ୍ରଧାନ ଶିକ୍ଷକ ଶ୍ରୀ ରାଓଙ୍କୁ ମଧ୍ଯ ଆରକ୍ଷୀ ଅଧିକ୍ଷକ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ପୂଜା କମିଟି ସଦସ୍ୟ ଏହି ଅଭିନବ ପଦକ୍ଷେପ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି, ଆଦର୍ଶ ଥାନାଧିକାରୀ ରିଗାନ କିଣ୍ଡୋ, ପୋଲିସ ଆରଆଇ ସତ୍ୟପ୍ରିୟ ବିଶ୍ଵାଳ ଓ ସମସ୍ତ ପୋଲିସ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।