ନୂଆଦିଲ୍ଲୀ, ୧୧/୯ : ଭାରତରେ ପ୍ରବେଶ ଉଦ୍ୟମ କରୁଛନ୍ତି ନେପାଳ ଜେଲ୍ରୁ ଫେରାର୍ ହୋଇଥିବା କଏଦୀ। ଭାରତ-ନେପାଳ ସୀମାରୁ ୩୫ଜଣ କଏଦୀଙ୍କୁ ଗିରଫ କଲା ସଶସ୍ତ୍ର ବାହିନୀ। ଏମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରୁ ୨୨ଜଣ, ବିହାରରୁ ୧୦ଜଣ ଓ ପଶ୍ଚିମବଙ୍ଗରୁ ୩ଜଣଙ୍କୁ ଗିରଫ କରାଯାଇଛି। ଆହୁରି ଅଧିକ ସଂଖ୍ୟାରେ କଏଦୀ ଦେଶକୁ ଅନୁପ୍ରବେଶ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏସଏସବିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା କଏଦୀମାନେ କାଠମାଣ୍ଡୁ ସ୍ଥିତ ଡେଲିବଜାର ଜେଲ୍ରୁ ଫେରାର୍ ହୋଇଥିଲେ। ଏମାନଙ୍କ ନିକଟରେ କୌଣସି ବୈଧ ପ୍ରମାଣପତ୍ର ନାହିଁ। ଏମାନେ ନେପାଳରେ ଚାଲିଥିବା ହିଂସାକାଣ୍ଡର ଫାଇଦା ଉଠାଇ ଜେଲ୍ରୁ ପଳାୟନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନାନୁଯାୟୀ, ଭାରତ ଓ ନେପାଳ ମଧ୍ୟରେ ୧,୭୫୧ କିଲୋମିଟରର ସୀମା ରହିଛି । ଏହି ବାଟ ଦେଇ ନେପାଳ କଏଦୀମାନେ ଅନୁପ୍ରବେଶ କରିବାର ସମ୍ଭାବନା ରହିଛି । ତେଣୁ ସମସ୍ତ ମାର୍ଗରେ ହାଇଆଲର୍ଟ ଜାରି କରାଯାଇଛି । ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ଏସଏସବି ଗୁଇନ୍ଦା ନଜର ରଖିଛି । ମହାରାଜଗଞ୍ଜ, ସୀତାମଢି, ରକ୍ସୌଲ, ସୁପୌଲ ଜିଲ୍ଲାରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉତ୍ପନ୍ନ ନହେବାକୁ ଏସଏସବିର ସାଇବର ୱିଙ୍ଗ୍, ସୋସିଆଲ ମିଡିଆରେ ଭ୍ରମିତ ଖବର ରୋକିବା ପାଇଁ ଆକ୍ଟିଭ୍ ମୋଡରେ କାମ କରୁଛି ।
ପ୍ରକାଶ ଥାଉକି, ଜେନ୍-ଜିଙ୍କ ବିକ୍ଷୋଭ ଯୋଗୁଁ ନେପାଳ ଅଶାନ୍ତ ରହିଛି। ଦେଶବ୍ୟାପୀ ହିଂସାକାଣ୍ଡ ଜାରି ରହିଛି । କାଠମାଣ୍ଡୁର ଡେଲିବଜାର ଜେଲ୍ ସହିତ ମହୋତ୍ତରି, ନୱଲପରାସି ପଶ୍ଚିମ, ସପ୍ତାରୀ ଭଳି ଅଞ୍ଚଳରୁ ଜେଲ୍ ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ଜେଲ୍ ନିଆଁ ଲଗାଇ ଦେବା ଯୋଗୁଁ କଏଦୀମାନେ ଜେଲ୍ ଛାଡ଼ି ପଳାୟନ କରୁଛନ୍ତି। ଦେଶରେ ଅରାଜକତା ବୃଦ୍ଧି ପାଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜେଲ୍ ଆଖପାଖରେ ନେପାଳ ସେନା ନିୟୋଜିତ ହୋଇଛନ୍ତି।