ଭୁବନେଶ୍ୱର, ୧୭/୦୯: ଦରମା ଏବଂ ବକେୟା ଆଦାୟ ପାଇଁ ୭,୦୦୦ ଟଙ୍କା ନେଉଥିଲେ ଲାଞ୍ଚ । ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧରାପଡ଼ିଲେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଏବଂ କାର୍ଯ୍ୟାଳୟର ପିଅନ ଗୋପବନ୍ଧୁ ସାହୁ । ଏହି ଚଢାଉ ପରେ ଜୁନିୟର ଆସିଷ୍ଟାଣ୍ଟଙ୍କ ୩ଟି ଠିକଣାରେ ଏବଂ ପିଅନଙ୍କ ଗୋଟିଏ ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଏବଂ ପିଅନ ଗୋପବନ୍ଧୁ ସାହୁ କାର୍ଯ୍ୟରତ ଥିଲେ । ଉଭୟେ ଜଣେ କର୍ମଚାରୀଙ୍କୁ ଦରମା ଏବଂ ବକେୟା ଦରମା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗିଥିଲେ । ମୋଟ୍ ୨୫ ହଜାର ଟଙ୍କାରେ ଡିଲ୍ ହୋଇଥିଲା । ଦରମା ପ୍ରକ୍ରିୟାକରଣ ପାଇଁ ୭ ହଜାର ଟଙ୍କା ଏବଂ ଏରିୟର ପାଇଁ ୧୮ ହଜାର ଟଙ୍କା ମାଗିଥିଲେ । ଏନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ତେବେ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍କନ୍ତ ସାହୁ କାର୍ଯ୍ୟାଳୟର ପିଅନଙ୍କ ଜରିଆରେ ପ୍ରଥମ କିସ୍ତି ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ସେମାନଙ୍କ ଠାରୁ ୭ ହଜାର ଟଙ୍କା ଜବତ ହୋଇଛି । ପରେ ଦୁର୍ନୀତି ନିବାରଣ ଟିମ୍ ଦୁଷ୍ମନ୍ତ ଙ୍କ ତିନୋଟି ଠିକଣା ଏବଂ ପିଅନଙ୍କ ଗୋଟିଏ ସ୍ଥାନରେ ଚଢ଼ାଉ କରିଛି । ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁଯାୟୀ, ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଏବଂ ପିଅନ ଗୋପବନ୍ଧୁ ସାହୁଙ୍କ ନାଁ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିଲା । ସେମାନେ ବାରମ୍ବାର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ଦରମା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗୁଥିଲେ ।...