ମୁମ୍ବାଇ,୧୮/୦୯: ନୂଆ ଇତିହାସ ରଚିଛି ଆହାନ ପାଣ୍ଡେ ଓ ଅନୀତ ପଡ୍ଡା ଷ୍ଟାରର୍‌ ‘ସୈୟାରା’ । ଓଟିଟିରେ ପ୍ରସାରିତ ହେବାର ୫ ଦିନ ମଧ୍ୟରେ ଏହା ବିଶ୍ୱସ୍ତରରେ ନେଟ୍‌ଫ୍ଲିକ୍ସରେ ସର୍ବାଧିକ ଦେଖାଯାଇଥିବା ଅଣ-ଇଂରାଜୀ ଫିଲ୍ମ ହୋଇଛି । ଇରୋଟିକ୍‌ ଥ୍ରିଲର୍‌ ‘ଫଲ୍‌ ଫର୍‌ ମି’ ଓ ନେଟ୍‌ଫ୍ଲିକ୍ସର ହିନ୍ଦୀ ଓରିଜିନାଲ୍‌ ‘ଇନ୍ସପେକ୍ଟର ଜେନ୍ଦେ’କୁ ଏହା ପଛରେ ପକାଇଛି । ନେଟ୍‌ଫ୍ଲିକ୍ସର ଶ୍ରେଷ୍ଠ-ପ୍ରଦର୍ଶନ କରୁଥିବା ଫିଲ୍ମଗୁଡ଼ିକର ଡାଟାବ୍ୟାଙ୍କ୍‌ ‘ଟୁଡମ୍‌’ ଅନୁସାରେ, ‘ସୈୟାରା’ ବିଶ୍ୱସ୍ତରରେ ଅଣ-ଇଂରାଜୀ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନରେ ଟ୍ରେଣ୍ଡ୍‌ କରୁଛି ।

ଫିଲ୍ମକୁ ୩୭ ଲକ୍ଷ ଥର ଓ ୯୩ ଲକ୍ଷ ଘଣ୍ଟା ଦେଖାଯାଇଛି । ‘ଫଲ୍‌ ଫର୍‌ ମି’ ୨ୟ ସ୍ଥାନରେ ଅଛି । ଏହାକୁ ୬୫ ଲକ୍ଷ ଘଣ୍ଟା ଦେଖାଯାଇଛି । ୩ୟ ସ୍ଥାନରେ ଅଛି ମନୋଜ ବାଜପେୟୀ ଷ୍ଟାରର୍‌ ‘ଇନ୍ସପେକ୍ଟର ଜେନ୍ଦେ’, ଯାହାକୁ ୬୨ ଲକ୍ଷ ଘଣ୍ଟା ଦେଖାଯାଇଛି । ଶୀର୍ଷ-୧୦ରେ ସ୍ଥାନ ପାଇଥିବା ଅନ୍ୟ ଏକମାତ୍ର ଭାରତୀୟ ଫିଲ୍ମ ହେଉଛି ବିଜୟ ଦେବରକୋଣ୍ଡାଙ୍କ ‘କିଙ୍ଗ୍‌ଡମ’ । ୨୫ ଲକ୍ଷ ଘଣ୍ଟା ଏହାକୁ ଦେଖାଯାଇଛି ଏବଂ ଏହା ୯ମ ସ୍ଥାନରେ ଅଛି । ନେଟ୍‌ଫ୍ଲିକ୍ସ ଇଣ୍ଡିଆ ବୁଧବାର ‘ସୈୟାରା’ର ମୁଖ୍ୟ କଳାକାର ଆହାନ ଓ ଅନୀତଙ୍କ ତରଫରୁ ଏକ ଭିଡିଓ ବାର୍ତ୍ତା ଶେୟାର କରି ଏ ବିଷୟରେ ସୂଚନା ଦେଇଛି । ଗତ ଶୁକ୍ରବାର ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିଲା । ନିକଟରେ ମୁକ୍ତିପ୍ରାପ୍ତ କୌଣସି ବଡ଼ ବଜେଟ୍‌ ଭାରତୀୟ ଫିଲ୍ମ ନେଟ୍‌ଫ୍ଲିକ୍ସର ବୈଶ୍ୱିକ ଶୀର୍ଷ-୩ରେ ସ୍ଥାନ ପାଇନାହିଁ।