ଭୁବନେଶ୍ୱର,୧୬/୧୦ : ଯାଜପୁର ଜିଲ୍ଲା ସାନସୁଆର ଗ୍ରାମ ପଞ୍ଚାୟତ, ପୁରୁଣା ଦୁର୍ଗା ପୂଜା ସମିତିପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ତଥା ରାଜନେତା ପ୍ରଶାନ୍ତ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ଚିତ୍ତରଞ୍ଜନ ମିଶ୍ର ଏହି ସମ୍ମାନ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବିଜୟ କୁମାର ମହାନ୍ତି  ଏବଂ ବରିଷ୍ଠ ସାମ୍ୱାଦିକ ସମରେନ୍ଦ୍ର ବଳିଆର ସିଂହଙ୍କ ସମେତ ଚଳଚ୍ଚିତ୍ର ସଂରକ୍ଷଣ ବିଶେଷଜ୍ଞ କୌଶିକ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀ ନନ୍ଦଙ୍କୁ ତାଙ୍କ ବାସ ଭବନରେ ପହଞ୍ଚି ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀ ନନ୍ଦ ପ୍ରତିଟି କାର୍ଯ୍ୟରେ ନିଷ୍ଠା, ସାଧନା ଓ ଭଲ ପାଇବା ରହିଲେ ତାହା ଲୋକଙ୍କ ଆଦର ପାଇବ ବୋଲି କହିଥିଲେ । ବର୍ତ୍ତମାନର ପିଢି ସବୁ କାର୍ଯ୍ୟରେ ନିଜ ନିଜର ଅଧ୍ୟବସାୟ ଓ ଅଧ୍ୟୟନ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ପୁରୁଣା ସିନେମାର ଚର୍ଚ୍ଚା ସହ ଏହାର ସଂରକ୍ଷଣ ଓ ସ୍କ୍ରିନ ପ୍ଲେ ଉପରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ପାଞ୍ଚଶହ ବର୍ଷର ଏହି ପୁରୁଣା ଅନୁଷ୍ଠାନ ଯାଜପୁର ଜିଲ୍ଲା ଅନ୍ତର୍ଗତ ସାନସୁଆର ପଞ୍ଚାୟତରେ ଏହା ପୁରୁଣା ଦୁର୍ଗା ନାମରେ ବେଶ ପରିଚିତ ଲାଭ କରିଛି । କଳା ସାହିତ୍ୟ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥାଏ ସେହିଭଳି ବିଭିନ୍ନ ବର୍ଗରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥାଏ ।