ନୂଆଦିଲ୍ଲୀ ୨୨/୦୯: ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ଼ମିଣ୍ଟନରେ ଭାରତର ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ପୁରୁଷ ଡବଲ୍ସରେ ରନର୍ସ ଅପ୍ ହୋଇଛନ୍ତି । ଫାଇନାଲ୍ରେ ଉଭୟ ୧୯-୨୧, ୧୫- ୨୧ ଗେମ୍ରେ ବିଶ୍ୱର ଏକ ନମ୍ବର ଯୋଡ଼ି ଦକ୍ଷିଣ କୋରିଆର କିମ୍ ଓନ୍ ହୋ ଓ ସିଓ ସିଉଙ୍ଗ ଜାଏ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ଦକ୍ଷିଣ କୋରିଆ ଯୋଡ଼ି ୪୫ମିନିଟ୍ ମଧ୍ୟରେ ବିଜୟ ହାସଲ କରିଥିଲେ । ଏଥିସହ ସାତ୍ତ୍ୱିକ-ଚିରାଗ ଯୋଡ଼ି କ୍ରମାନ୍ୱୟରେ ଦ୍ୱିତୀୟ ଫାଇନାଲ୍ରେ ପରାଜିତ ହୋଇଥିଲେ ।
ଗତ ସପ୍ତାହ ହଂକଂ ଓପନ ଫାଇନାଲ୍ରେ ମଧ୍ୟ ଉଭୟଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । କିମ୍-ସିଓ ଯୋଡ଼ି ଚଳିତ ସିଜନରେ ୯ଟି ଫାଇନାଲ୍ ଖେଳିଥିବାବେଳେ ୭ଟି ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି । ସେଥିମଧ୍ୟରେ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।