ବେତନଟୀ, ୧୦/୯ : ବେତନଟୀରେ କାୟା ବିସ୍ତାର କରୁଛି ସ୍କ୍ରବ୍ ଟାଇଫସ୍ । ବର୍ତ୍ତମାନ ସୁଦ୍ଧା ୧୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାରିପଦା, ବାଲେଶ୍ୱର କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏକ ନିର୍ଦ୍ଧିଷ୍ଟ ପ୍ରଜାତିର କୀଟ ସ୍କ୍ରବ୍ ଟାଇଫସ୍ ଦଂଶନରେ ମଣିଷ ଶରୀରେ ସଂକ୍ରମଣ ହୋଇଥାଏ । ଏହାଛଡ଼ା ସଂକ୍ରମିତଙ୍କ ଶରୀରରେ ଜ୍ୱର ସହିତ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖାଯାଇଥାଏ । ଆଣ୍ଠୁଗଣ୍ଠି ଦରଜ ହେବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଆକ୍ରାନ୍ତଙ୍କ ଶରୀରରେ ଔଷଧ ବି ଠିକ୍ ଭାବେ କାର୍ଯ୍ୟ କରି ନଥାଏ । ମଣିଷ କ୍ରମଶଃ ଦୁର୍ବଳ ହେବା ସହିତ ଦେହରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ଜଟିଳତା ପରିଲକ୍ଷିତ ହୋଇଥାଏ।
ବେତନଟୀ ଡାକ୍ତରଖାନା ଅଧିକାରୀ ଡ. ସିପୁନ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଏଲାଇସା ପଦ୍ଧତିରେ ବିଭିନ୍ନ ନମୂନା ପରୀକ୍ଷଣ ଦ୍ୱାରା ସ୍କ୍ରବ ଟାଇଫସ୍ ସଂକ୍ରମଣ ଚିହ୍ନଟ କରାଯାଇଥାଏ । ଏହି ଏଲାଇସା ପରୀକ୍ଷା ଜିଲ୍ଲା ମୁଖ୍ୟାଳୟରେ ଉପଲବ୍ଧ ଥିବାବେଳେ ବେତନଟୀ ଅଞ୍ଚଳରେ ଚିହ୍ନଟ ହୋଇଥିବା ଲୋକ ସ୍କ୍ରବ ଟାଇଫସ୍ ଦଂଶନ ପରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟାଳୟକୁ ସଂକ୍ରମିତ ଆସୁନଥିବାରୁ ସରକାରୀ ସ୍ତରରେ ସେମାନଙ୍କ ବାବଦରେ କୌଣସି ସୂଚନା ନାହିଁ । ବିଶେଷକରି ବେତନଟୀ ଅଞ୍ଚଳରେ ସ୍କ୍ରବ ଟାଇଫସ୍ କୀଟ ଦଂଶନ ଘଟଣା ଦିନକୁଦିନ ବଢି ଚାଲିଥିବା ଏବଂ ଘରୋଇ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ସମନ୍ୱୟ ରହୁନାହିଁ । ଯାହା ଫଳରେ ସ୍କ୍ରବ୍ ଟାଇଫସ୍ କୀଟ କାମୁଡ଼ା ପ୍ରତିହତ କିମ୍ବା ମୁକାବିଲା ପାଇଁ ସରକାରୀ ସ୍ତରରରେ କୌଣସି ସଚେତନତା କାର୍ଯ୍ୟକ୍ରମ ହେଉନଥିବା ଅଭିଯୋଗ ହୋଇଛି ।