ନ୍ୟୁୟର୍କ: ଯୁକ୍ତରାଷ୍ଟ୍ରର ସିକ୍ରେଟ୍ ସର୍ଭିସ୍ ଏକ ଗୁପ୍ତ ଟେଲିକମ୍ୟୁନିକେସନ୍ ନେଟୱାର୍କକୁ ଧ୍ୱଂସ କରିଛି। ଯାହା ଆମେରିକାର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟାର୍ଗେଟ କରି ତିଆରି ହୋଇଥିଲା ଏବଂ ନ୍ୟୁୟର୍କରେ ସେଲୁଲାର୍ ସେବାରେ ବିପଦ ସୃଷ୍ଟି କରିବାର ସମ୍ଭାବନା ରଖୁଥିଲା। ଏପରି ଘଟଣା UN ଜେନେରାଲ୍ ଆସେମ୍ବ୍ଲି (UNGA) ଆଗରୁ ଘଟିଛି, ଯେଉଁଠାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ବିଶ୍ୱନେତାମାନଙ୍କର ଭାଷଣ ଆରମ୍ଭ ହେବାକୁ ଯାଉଛି।
ଆମେରିକୀୟ ସିକ୍ରେଟ୍ ସର୍ଭିସର ଆଡଭାନସଡ୍ ଥ୍ରେଟ ଇଣ୍ଟରଡିକ୍ସନ ୟୁନିଟ (ATIU) ଦ୍ୱାରା ନ୍ୟୁୟର୍କ ଟ୍ରାଇସ୍ଟେଟ୍ ଅଞ୍ଚଳରେ (UNGA ସ୍ଥାନରୁ ୩୫ ମାଇଲ ଭିତରେ) ୩୦୦ରୁ ଅଧିକ SIM ସର୍ଭର୍ ଏବଂ ୧ ଲକ୍ଷରୁ ଅଧିକ SIM କାର୍ଡ ଜବତ କରାଯାଇଛି। ଏହି ଡିଭାଇସ୍ଗୁଡ଼ିକ ଅଜଣା ଟେଲିଫୋନିକ୍ ବିପଦ ସହ ସିଧାସଳଖ ଜଡ଼ିତ ଥିଲା। ଯାହା ଯୁକ୍ତରାଷ୍ଟ୍ରର ଉଚ୍ଚ ଅଧିକାରୀମାନଙ୍କୁ ସିଧାସଳଖ ଟାର୍ଗେଟ କରିଥାନ୍ତା ବୋଲି ସୂଚନା ମିଳିଛି।
ଏହି ଡିଭାଇସ ମାଧ୍ୟମରେ ଅଜଣା ଦୁର୍ବୃତ୍ତମାନେ ନ୍ୟୟର୍କରେ ଥିବା ସେଲ୍ ଟାୱାର ନିଷ୍କ୍ରିୟ କରିବା, ଡିନାଇଆଲ୍-ଅଫ୍-ସର୍ଭିସ୍ (DoS)(ଯୋଗାଯୋଗ ବିଚ୍ଛିନ୍ନ) ଆକ୍ରମଣ ଏବଂ ଆପରାଧୀ ଗ୍ରୁପ ସହ ବିଦେଶୀ ନେଟୱାର୍କ ମଧ୍ୟରେ ଏନକ୍ରିପଟେଡ ଯୋଗାଯୋଗ ସମ୍ଭବ ହେଉଥିଲା। ଏଣୁ ଏହା ପଛରେ ଏକ ବଡ ଧରଣର ଅପରାଧିକ ଗ୍ୟାଙ୍ଗର ହାତ ଥିବା ଅନୁମାନ କରାଯାଉଛି।
UNGA ସପ୍ତାହ ଆଗରୁ ନ୍ୟୁୟର୍କର ଯୋଗାଯୋଗ ବ୍ୟବସ୍ଥାରେ ବିଘ୍ନ ସୃଷ୍ଟି ଏବଂ ଉଚ୍ଚସ୍ତରୀୟ ନେତାମାନଙ୍କୁ ବିପଦ ଥିବାନେଇ ସମ୍ଭାବନା ରହିଥିଲା। ଏହା ଛଡା ଏହି ଟେଲିକମ୍ୟୁନିକେସନ୍ ନେଟୱାର୍କ ବିଶ୍ୱନେତାମାନଙ୍କର ଭାଷଣ ସମୟରେ ସୁରକ୍ଷା ଏଜେନ୍ସିର ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଟାର୍ଗେଟ କରବାର ସକ୍ଷମତା ରଖୁଥିଲା। ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ଭାବେ ସାମ୍ନାକୁ ଆସିଥିଲା।
ତେବେ ଏନେଇ ସୂଚନା ପାଇବା ପରେ ଯୁକ୍ତରାଷ୍ଟ୍ର ସିକ୍ରେଟ ସର୍ଭିସ ସହ ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନ୍ (HSI), ଜଷ୍ଟିସ୍ ଡିପାର୍ଟମେଣ୍ଟ୍, ନ୍ୟାସନାଲ୍ ଇଣ୍ଟେଲିଜେନସ ଡାଇରେକ୍ଟରେଟ ଏବଂ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ (NYPD) ଏହାର ସନ୍ଧାନ ଆରମ୍ଭ କରିଥିଲେ। ସଠିକ ସୂଚନା ଆଧାରରେ ସମସ୍ତ ଡିଭାଇସ୍ଗୁଡ଼ିକ ଚିହ୍ନଟ କରାଯାଇ ଧ୍ୱଂସ କରାଯାଇଛି, ଏବଂ ଏନେଇ ଫରେନସିକ ତଦନ୍ତ ଚାଲୁ ରହଛି। ପ୍ରାରମ୍ଭିକ ତଦନ୍ତରୁ ଏହା ପଛରେ କୌଣସି ବିଦେଶୀ ସଂଗଠନ ଏବଂ ଫେଡରାଲ ଲ ଏନଫୋର୍ସମେଣ୍ଟର ଜଣାଶୁଣା ବ୍ୟକ୍ତିଙ୍କ ସହ ସମ୍ୱଦ୍ଧ ଥିବା ଜଣା ପଡିଛି।