ରାଉରକେଲା, ୨୪/୯ : କାମ କରୁନି ସର୍ଭର । ଚାରି ଦିନ ଧରି ଲାଗି ରହିଛି ଅଚଳାବସ୍ଥା। ଡିଲରଙ୍କ ପାଖକୁ ପିଡିଏସ୍‌ ଚାଉଳ ନେବାକୁ ଆସୁଥିବା ଖାଉଟି ଖାଲି ହାତରେ ବାହୁଡୁଛନ୍ତି । ସେପଟେ ନଭେମ୍ବର ୩୦ ସୁଦ୍ଧା ୬୦% ହିତାଧିକାରୀଙ୍କୁ ଚାଉଳ ଦେବାକୁ ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଛି, ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ଡିଲର । ରାଉରକେଲା ଯୋଗାଣ ବିଭାଗ ଅଧୀନରେ ୧୪୪ ଡିଲର ଅଛନ୍ତି । ସମୁଦାୟ ୬୮ ହଜାର ୭୨୭ ରାସନ କାର୍ଡ ରହିଥିବା ବେଳେ ଖାଉଟିଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାର ୩୮୩ । ଅଦ୍ୟାବଧି ମାତ୍ର ୭୩ ଜଣ ଡିଲରଙ୍କ ପାଖରେ ପହଞ୍ଚିଛି ନଭେମ୍ବର ଓ ଡିସେମ୍ବର ମାସର ଅଗ୍ରୀମ ଚାଉଳ । ଅବଶିଷ୍ଟ ୭୧ ଡିଲର ଚାଉଳ ଅପେକ୍ଷାରେ ରହିଛନ୍ତି । ହେଲେ ଚାଉଳ ବଣ୍ଟନ ହେଉଥିବା ଡିଲର ପଏଣ୍ଟରେ ସର୍ଭର ଫେଲ୍‌ ପାଇଁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି ।

ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନ୍‌ କାମ କରୁନାହିଁ । ଖାଉଟିଙ୍କ ଅଙ୍ଗୁଳି ଚିହ୍ନ କିମ୍ବା ଆଖି ସ୍କାନିଂ ହୋଇପାରୁନାହିଁ । ଜରୁରି କାମ ଛାଡ଼ି ହିତାଧିକାରୀମାନେ ଘଣ୍ଟା ଘଣ୍ଟା ଧରି ଡିଲର ପଏଣ୍ଟରେ ଛିଡ଼ା ହେଉଛନ୍ତି । ଏହାକୁ ନେଇ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଉଛି । ଖାଉଟି-ଡିଲରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ଗତ ୪ ଦିନ ମଧ୍ୟରେ ବଡ଼ କଷ୍ଟରେ ମାତ୍ର ୧୧ ହଜାର ହିତାଧିକାରୀ ଚାଉଳ ପାଇଛନ୍ତି । ଆହୁରି ୨ ଲକ୍ଷ ୬ ହଜାର ୩୮୩ ଖାଉଟି ଚାଉଳ ଅପେକ୍ଷାରେ ଅଛନ୍ତି ।

ଖାଉଟିଙ୍କ କହିବା କଥା, ଚାଉଳ ପାଇଁ ମଜୁରି ଟଙ୍କା ବି ବୁଡୁଛି । କାମଧନ୍ଦା ଛାଡ଼ି ସକାଳୁ ଅପେକ୍ଷା କରିବାକୁ ପଡୁଛି । ହେଲେ ଚାଉଳ ମିଳୁନାହିଁ । ଖାଲି ହାତରେ ବାହୁଡୁଛୁ । ଡିଲରଙ୍କ କହିବା କଥା, ଯୋଗାଣ ବିଭାଗ ପକ୍ଷରୁ ୩୦ ତାରିଖ ସୁଦ୍ଧା ୬୦% ଖାଉଟିଙ୍କୁ ଚାଉଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସର୍ଭର ନ ଥିବାରୁ ସମସ୍ୟା ହେଉଛି । ସର୍ଭର ଫେଲ୍‌ ସହ ଆଉ ଏକ ସମସ୍ୟା ପଦାକୁ ଆସିଛି । ସରକାରୀ ଗୋଦାମରୁ ଡିଲରଙ୍କୁ ଟ୍ରାନ୍ସପୋର୍ଟରଙ୍କ ମାଧ୍ୟମରେ ଚାଉଳ ଯୋଗାଣ କରାଯାଇଥାଏ । ମାତ୍ର ଟ୍ରାନ୍ସପୋର୍ଟରଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ଗାଡ଼ି ନ ଥିବାରୁ ୭୧ ଡିଲରଙ୍କ ପାଖରେ ଚାଉଳ ପହଞ୍ଚି ପାରିନି । ସର୍ଭର ସମସ୍ୟା ଏବଂ ଚାଉଳ ସବୁ ଡିଲର ପଏଣ୍ଟରେ ପହଞ୍ଚି ନ ଥିବାରୁ ଟାର୍ଗେଟ୍‌ ପୂରଣ ନେଇ ଚିନ୍ତାରେ ପଡ଼ିଛନ୍ତି ଡିଲର । ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, କେବଳ ରାଉରକେଲା ନୁହେଁ ସମଗ୍ର ରାଜ୍ୟରେ ଏଭଳି ସମସ୍ୟା ଦେଖାଦେଇଛି । ୪ମାସ ତଳେ ଯୋଗାଣ ବିଭାଗ ପକ୍ଷରୁ ଡିଲରଙ୍କୁ ନୂଆ ସଫ୍ଟୱେର ଯୋଗାଇ ଦିଆଯାଇଥିଲା । ହେଲେ ସର୍ଭର ଠିକ୍‌ ଭାବେ କାମ କରୁନାହିଁ ।