ନୂଆଦିଲ୍ଲୀ,୦୩/୧୧: ପ୍ରଥମ ଥର ଆଇସିସି ମହିଳା ଦିନିକିଆ ବିଶ୍ୱକପ ଜିତି ଇତିହାସ ରଚିଛି ଭାରତ । ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡୟମରେ ଗୁଞ୍ଜି ଉଠିଥିଲା ଗୋଟିଏ ନାମ ତାହା ହେଉଛି-ଶେଫାଳି ବର୍ମା । ୨୧ ବର୍ଷୀୟ ଓପନର ଦିନେ ଦଳରୁ ବାଦ ପଡିଥିଲେ । ଆଜି ସେ ବିଶ୍ୱକପ ପ୍ଲେୟାର ଅଫ୍ ଦି ଫାଇନାଲ ହୋଇଛନ୍ତି । ୭୮ ବଲ୍ରେ ୮୭ରନ୍ର ଦମଦାର ଇନିଂସ ଖେଳିବା ସହିତ ୨ଟି ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।
ବିଶ୍ୱ ଟି-୨୦ କ୍ରିକେଟକୁ ଆଲୋକିତ କରିଥିବା ଏହି ବିସ୍ଫୋରକ ପ୍ରତିଭା ହଠାତ୍ ଭାରତୀୟ ଦଳରୁ ବାଦ ପଡିଗଲେ । ତାଙ୍କୁ ସମାଲୋଚନା କରାଯାଇଥିଲା । ଏହି ସମୟ ତାଙ୍କ ପାଇଁ ଖରାପ ସମୟ ଥିଲା । ତାଙ୍କ ବାପା ସଞ୍ଜୀବ ବର୍ମାଙ୍କୁ ହୃଦଘାତ ଆସିବାର କିଛି ସମୟ ପରେ ଏପରି ହୋଇଥିଲା । ବାପାଙ୍କୁ ଚିନ୍ତାରେ ନପକାଇବାକୁ ଦଳରୁ ବାଦ ପଡିଥିଲା କଥା ଜଣାଇନଥିଲେ ଶେଫାଳି । ହେଲେ ତାଙ୍କ ବାପା ସବୁବେଳେ ତାଙ୍କ ସହ ଛିଡ଼ା ହୋଇଥିଲେ ।
ଶେଫାଳିଙ୍କ ବାପା କହିଥିଲେ,''କିଛି ଅସୁବିଧା ନାହିଁ । ତୁମେ ତୁମର ଅଭ୍ୟାସ ଉପରେ ଧ୍ୟାନ ଦିଅ । ତୁମର ସମୟ ନିଶ୍ଚୟ ଆସିବ । ତୁମେ କେବଳ ପ୍ରସ୍ତୁତ ରୁହ ।'' ଦଳରୁ ବାଦ ପଡିବା ପରେ ଶେଫାଳି ଭାଙ୍ଗି ପଡିନଥିଲେ ବରଂ ନିଜକୁ ପ୍ରସ୍ତୁତ କରିଥିଲେ । ଅଭ୍ୟାସ ଜାରି ରଖିଥିଲେ । ନିଜ ପ୍ରଦର୍ଶନ ଉପରେ ଭରସା କରିଥିଲେ । ବିସିସିଆଇ ଦିନିକିଆ ଟ୍ରଫି କ୍ୱାର୍ଟର ଫାଇନାରେ ଏକ ଧମାକାଦାର ୧୯୭ ରନ କରିଥିଲେ । ମହିଳା ପ୍ରିମିୟର ଲିଗରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ଚମତ୍କାର । ଭଲ ପ୍ରଦର୍ଶନ ପରେ ବି ମହିଳା ଦିନିକିଆ ବିଶ୍ୱକପରୁ ବାଦ ଥିଲେ । ପ୍ରତୀକା ରାୱଲ ଆହତ ପରେ ଶେଫାଳିଙ୍କୁ ଡକରା ହୋଇଥିଲା । ବିଶ୍ୱକପ ଫାଇନାଲରେ ନିଜକୁ ପ୍ରମାଣିତ କରିଛନ୍ତି । ଯେତେବେଳେ ଶେଫାଳିଙ୍କୁ ହର୍ମନପ୍ରୀତ ବଲ ଦେଲେ ସୁନେ ଲୁସ୍ ଓ ମାରିଜାନେ କାପ୍ଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକା ମେରୁଦଣ୍ଡ ଭାଙ୍ଗି ଦେଳେ ଶେଫାଳି । ବ୍ୟାଟିଂ ଓ ବୋଲିଂ ଉଭୟରେ ତାଙ୍କର ପ୍ରଦର୍ଶନ ଥିଲା ଜବରଦସ୍ତ ।