ନୂଆଦିଲ୍ଲୀ ୨୬/୧୦: ବଲିଉଡ୍ର ବାଦ୍ଶାହ ଶାହରୁଖ ଖାନ୍ଙ୍କ ୬୦ତମ ଜନ୍ମଦିନକୁ ଆଉ ଖୁବ୍ କମ୍ ଦିନ ରହିଲା । ଫ୍ୟାନ୍ଙ୍କ ଉତ୍ସାହ ଏବେଠୁ ଆକାଶ ଛୁଇଁଲାଣି । କିଙ୍ଗ୍ ଖାନ୍ଙ୍କ ସମ୍ମାନରେ ସ୍ମରଣୀୟ ପୋଷ୍ଟ୍ ଓ ଜନ୍ମଦିନ ମେସେଜ୍ ମାଧ୍ୟମରେ ସୋସିଆଲ ମିଡିଆ ଫ୍ୟାନ୍ ତାଙ୍କ ଜନ୍ମଦିନ ସେଲିବ୍ରେଟ୍ କରିବା ଆରମ୍ଭ କରିଦେଲେଣି । ଇତିମଧ୍ୟରେ ଏକ ବଡ଼ ଘୋଷଣା ଫ୍ୟାନ୍ଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି । ସିନେମାରେ ଶାହରୁଖ୍ଙ୍କ ୬୦ ଦଶନ୍ଧିର ମାଇଲଖୁଣ୍ଟକୁ ସମ୍ମାନ ଦେବା ଲାଗି ଏକ ସ୍ୱତନ୍ତ୍ର ଫିଲ୍ମ ମହୋତ୍ସବର ଆୟୋଜନ ଘୋଷଣା କରିଛି ପିଭିଆର୍ ସିନେମାଜ୍ । ଆସନ୍ତା ୩୧ ତାରିଖରେ ମହୋତ୍ସବ ଆରମ୍ଭ ହେବ । ଏଥିରେ ଶାହରୁଖ୍ଙ୍କର କିଛି ସ୍ମରଣୀୟ ସିନେମା ପୁଣି ଥରେ ଦେଶର ସିନେ ପରଦାକୁ ଫେରିବ । ଏହି ପ୍ରୟାସ ପୁଣି ଥରେ ସେହି ସ୍ମରଣୀୟ ମୁହୂର୍ତ୍ତକୁ ବଞ୍ଚିବାର ସୁଯୋଗ ଦର୍ଶକଙ୍କୁ ଦେବ ।
କେବଳ ଫ୍ୟାନ୍ ନୁହନ୍ତି, ନିଜେ ଶାହରୁଖ୍ ତାଙ୍କୁ ସମର୍ପିତ ଏହି ମହୋତ୍ସବକୁ ନେଇ ଅତ୍ୟନ୍ତ ରୋମାଞ୍ଚିତ । ନିଜ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି ‘ମୋର କିଛି ପୁରୁଣା ଫିଲ୍ମ ପୁଣି ଥରେ ଥିଏଟରକୁ ଆସୁଛି । ଫିଲ୍ମରେ ଯେଉଁ ବ୍ୟକ୍ତି ଅଛି, ତା’ର ବେଶି କିଛି ପରିବର୍ତ୍ତନ ହୋଇନାହିଁ- କେବଳ କେଶ ବଦଳିଯାଇଛି ଏବଂ ସେ ଟିକିଏ ଅଧିକ ସୁନ୍ଦର ହୋଇଯାଇଛି । ପିଭିଆର୍ ଆଇନକ୍ସର ସହଯୋଗରେ ଦେଶର ବଛା ବଛା ଥିଏଟରରେ ଶାହରୁଖ୍ ଖାନ୍ ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଛି!’
ଦୁଇ ସପ୍ତାହର ଶାହରୁଖ୍ ସିନେ ମହୋତ୍ସବରେ ଦେଶର ୩୦ରୁ ଅଧିକ ସହରରେ, ୭୫ରୁ ଅଧିକ ଥିଏଟରରେ ଶାହରୁଖ୍ଙ୍କର ୭ଟି ସ୍ମରଣୀୟ ଫିଲ୍ମ ପ୍ରଦର୍ଶିତ ହେବ । ଶାହରୁଖ୍ଙ୍କ ଫ୍ୟାନ୍ ଓ ନୂଆ ଦର୍ଶକ ତାଙ୍କ ୩ ଦଶନ୍ଧିର ସିନେ ଯାତ୍ରାକୁ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇବେ । ଏଥିରେ ରୋମାଣ୍ଟିକ୍ଡ୍ରାମା ‘ଦେବଦାସ’ଠୁ ରାଜନୈତିକ ଡ୍ରାମା ‘ଦିଲ୍ ସେ’ ଏବଂ ଆକ୍ସନ୍-କମେଡି ‘ଚେନ୍ନାଇ ଏକ୍ସପ୍ରେସ୍’ଠୁ ସଦ୍ୟ ବ୍ଲକ୍ବଷ୍ଟର ‘ଯୱାନ’ ଭଳି କିମ୍ବଦନ୍ତୀ ଫିଲ୍ମ ପ୍ରଦର୍ଶିତ ହେବ । ‘କଭି ହାଁ କଭି ନା’, ‘ମେଁ ହୁଁ ନା’ ଓ ‘ଓମ୍ ଶାନ୍ତି ଓମ୍’ ମଧ୍ୟ ପୁଣି ଥରେ ଥିଏଟରକୁ ଫେରିବ ।