ମାଲକାନଗିରି,୪/୧୧ : ଦୁର୍ଗମ ବଣ୍ଡାଘାଟିରେ ଜଙ୍ଗଲ ସୁରକ୍ଷା, କୁପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟସେବାକୁ ନେଇ ଠେଙ୍ଗା ପାଳି ନାମକ ପ୍ରାମାଣିକ ଚଳଚ୍ଚିତ୍ର ସୁଟିଂ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡା ଘାଟି ଅଞ୍ଚଳରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ସୁଟିଂ କରାଯାଇଛି ।

ବଣ୍ଡା ଘାଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୫୦୦୦ଫୁଟରୁ ଅଧିକ ଉଚ୍ଚରେ ଅବସ୍ଥିତ ଏବଂ ଏଠାରେ ବଣ୍ଡା ଜନ ଜାତିର ଲୋକେ ବସବାସ କରନ୍ତି । ଏହି ଅଞ୍ଚଳର ପୌରାଣିକ କାହାଣୀ ଅନୁଯାୟୀ, ଏକଦା ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ବନବାସ ସମୟରେ ଏଠାରେ କିଛିଦିନ ବାସ କରିଥିଲେ। କିନ୍ତୁ କଠିନ ଯୋଗାଯୋଗ ପରିସ୍ଥିତି ଯୋଗୁଁ ଲୋକମାନଙ୍କର ଆର୍ଥିକ ପରିସ୍ଥିତି, କୃଷି ଓ ଶିକ୍ଷା ଅତି ଶୋଚନୀୟ ଅବସ୍ଥାରେ ଥିଲେ। ବର୍ତ୍ତମାନ କିନ୍ତୁ ସରକାରଙ୍କ ପ୍ରୟାସରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଛି । ଏହି ଅଞ୍ଚଳର ଶିକ୍ଷା, ସାମାଜିକ ସ୍ଥିତି, ସ୍ବତନ୍ତ୍ର ପୋଷାକ ଓ ପରମ୍ପରା ସହ ସେମାନେ ଜଙ୍ଗଲ ଉପରେ କିପରି ନିର୍ଭର କରନ୍ତି ଜଙ୍ଗଲରୁ କେଉଁ ଜିନିଷ ଆବଶ୍ୟକ କରନ୍ତି, ସେମାନଙ୍କର ଜଙ୍ଗଲ ଜମି ସୁରକ୍ଷା ତଥା ଠେଙ୍ଗାପାଳି ମାଧ୍ୟମରେ ଜଙ୍ଗଲ ସୁରକ୍ଷା କେମିତି କରନ୍ତି ବିଷୟରେ ସୁଟିଂ କରାଯାଇଥିଲା। ସେହିପରି ଛୋଟଛୋଟ ଶିଶୁମାନଙ୍କ ପୋଷଣ ସ୍ଥିତି, ସେମାନେ କିପରି ସ୍କୁଲକୁ ଯାଆନ୍ତି, ଡ୍ରପ ଆଉଟ ପିଲାଙ୍କୁ ଶିକ୍ଷକମାନେ କିପରି ଘରକୁ ଘର ଯାଇ ଡାକନ୍ତି, ସ୍କୁଲ ଯିବାକୁ କିପରି ଉତ୍ସାହିତ କରନ୍ତି।

ଏ ସବୁ ବିଷୟ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମରେ ସମ୍ପୂର୍ଣ୍ଣ ଉପସ୍ଥାପନା କରାଯାଇଛି । ଖବର ଶୁଣି ଆଖପାଖ ଅଞ୍ଚଳରୁ ବହୁ ଲୋକେ ଶୁଟିଂ ଦେଖିବାକୁ ଭିଡ଼ ଜମିଥିଲେ। ଏଥିରେ ଗ୍ରାମବାସୀ ଓ ଶିକ୍ଷକମାନେ ପୂର୍ଣ୍ଣ ସହଯୋଗ କରିଥିଲେ।