ନୂଆଦିଲ୍ଲୀ,୦୫/୦୬: ଅଭିନୟ ଏବଂ ମଡେଲିଂ ବାଦ୍‌ ବ୍ୟବସାୟରେ ପାଦ ରଖି ସେମାନେ  ହୋଇଛନ୍ତି ସଫଳ । ନିରନ୍ତର ବ୍ୟବସାୟ ଛିଡ଼ା କରିବା ସହ ବିଉଟି, ଫ୍ୟାଶନ୍‌ ଏବଂ କଣ୍ଟେଣ୍ଟ  କ୍ରିଏସନ୍‌ କ୍ଷେତ୍ରରେ ନେଉଛନ୍ତି ନେତୃତ୍ୱ । ସେହଭଳି  ଦେଶର କେତେଜଣ ସେଲିବ୍ରିଟି ମହିଳା ନିବେଶକଙ୍କୁ  ନେଇ ହୁରୁନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଛି ‘ୱିମେନ  ଲିଡର’ ତାଲିକା । ଏଥିରେ ଶୀର୍ଷ-୧୦ ସେଲିବ୍ରିଟି  ନିବେଶକ ତାଲିକାରେ ଶ୍ରଦ୍ଧା କପୁର, ପ୍ରିୟଙ୍କା ଚୋପ୍ରା  ଏବଂ ଆଲିୟା ଭଟ୍ଟ ପ୍ରମୁଖ ସ୍ଥାନରେ ରହିଛନ୍ତି । ୯୪.୧ ନିୟୁତ ଅନୁଗାମୀଙ୍କ ସହିତ ଶ୍ରଦ୍ଧା କପୁର  କାନ୍‌ଡେର୍‌ ହୁରୁନ୍‌ ସେଲିବ୍ରିଟି ଇନ୍‌ଫ୍ଲୁଏନ୍ସର ନିବେଶକ  ତାଲିକାରେ ଆଗରେ ରହିଛନ୍ତି । ଲାଇଫ୍‌ଷ୍ଟାଇଲ୍‌ ଏବଂ  ଫ୍ୟାଶନ୍‌ ବ୍ରାଣ୍ଡଗୁଡ଼ିକରେ ନିବେଶ କରି ସେ ନିଜର  ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଛନ୍ତି । 

ସେହିଭଳି ୯୨.୪ ନିୟୁତ ଅନୁଗାମୀଙ୍କ ସହ  ପ୍ରିୟଙ୍କା ଚୋପ୍ରା ସିନେମା ବାହାରେ ଏକ ଶକ୍ତିଶାଳୀ  ଗ୍ଲୋବାଲ ବାଣ୍ଡ୍‌ ନିର୍ମାଣ କରିଛନ୍ତି । ପର୍ପଲ ପେବଲ୍‌  ପିକ୍‌ଚର୍ସ ଏବଂ ଆନୋମାଲି ହେୟାର୍‌କେୟାର୍‌ର ସହ- ପ୍ରତିଷ୍ଠାତା ଭାବେ ସେ ବିଉଟି ଏବଂ ଏଣ୍ଟର୍‌ଟେନ୍‌ମେଣ୍ଟ  ଉଭୟକୁ ପୁନଃ ଆକାର ଦେଉଛନ୍ତି ।  

୮୬.୩ ନିୟୁତ ଅନୁଗାମୀଙ୍କ ସହ ଆଲିୟା ଭଟ୍ଟ  ଜଣେ ପ୍ରମୁଖ ଉଦ୍ୟୋଗୀ ଭାବେ ପରିଚୟ ଲାଭ  କରିଛନ୍ତି । ତାଙ୍କ ପରିବେଶ-ଅନୁକୂଳ ପୋଷାକ ବ୍ରାଣ୍ଡ୍‌  ଇଦ୍‌-ଏ-ମମ୍ମା ଏବଂ ପ୍ରଡକ୍ସନ ହାଉସ୍‌ ଇଟର୍‌ନାଲ  ସନ୍‌ସାଇନ୍‌ ତାଙ୍କୁ ଉଭୟ ଫ୍ୟାଶନ ଏବଂ ଉଦ୍ୟୋଗ  ଜଗତରେ ଲୋକପ୍ରିୟ କରାଇଛି ।  

୮୦.୩ ନିୟୁତ ଅନୁଗାମୀଙ୍କ ସହ କ୍ୟାଟ୍‌ରିନା କୈଫ୍‌  କେ ବିଉଟିର ସହ-ପ୍ରତିଷ୍ଠାତା । ସବୁ ପ୍ରକାର ସ୍କିନ୍‌  ଟୋନ୍‌ ପାଇଁ ତାଙ୍କ ବ୍ରାଣ୍ଡ୍‌ ମେକ୍‌ଅପ୍‌ ସଲ୍ୟୁସନ୍‌ ପ୍ରଦାନ  କରିଥାଏ । ୮୦.୨ ନିୟୁତ ଅନୁଗାମୀଙ୍କ ସହ ଦୀପିକା  ପାଦୁକୋନ୍‌ ୱେଲ୍‌ନେସ୍‌ ଏବଂ ମେଣ୍ଟାଲ୍‌ ହେଲ୍‌ଥ  କ୍ଷେତ୍ରରେ ଚାମ୍ପିୟନ । ତାଙ୍କ ଉଦ୍ୟୋଗ କେଏ ପ୍ରଡକ୍ସନ  ଏବଂ ୮୨ ଡିଗ୍ରୀ ଇ ସ୍କିନ୍‌କେୟାର ତାଙ୍କୁ ସିନେମା ଛଡ଼ା  ଉଦ୍ୟୋଗୀ ଭାବେ ବି ପରିଚୟ ଦେଇଛି । ୬୯.୧ ନିୟୁତ ଅନୁଗାମୀଙ୍କ ସହ ଅନୁଷ୍କା ଶର୍ମା  ଉଭୟ ସିନେମା ଏବଂ ଫ୍ୟାଶନ୍‌ ଜଗତରେ ସକ୍ରିୟ ।  ସେ କ୍ଲିନ୍‌ ସ୍ଲେଟ୍‌ ଫିଲ୍ମ୍‌ଜର ସହ-ପ୍ରତିଷ୍ଠାତା । ଏହା  ସହ ତାଙ୍କର ଫ୍ୟାଶନ୍‌ ବ୍ରାଣ୍ଡ୍‌ ନୁସ୍‌ ତାଙ୍କର ବୋଲ୍‌ଡ  ଷ୍ଟାଇଲ୍‌କୁ ପ୍ରତିଫଳିତ କରୁଛି ।  

୬୧.୩ ନିୟୁତ ଅନୁଗାମୀଙ୍କ ସହ ଦୀଶା ପଟାନି  ଅନେକ ଉଦ୍ୟୋଗରେ ନିବେଶ କରିଛନ୍ତି । ଦକ୍ଷିଣ  ଭାରତୀୟ ସ୍ନାକ୍ସ ଏବଂ ଫିଲ୍‌ଟର କଫି ପାଇଁ ଜଣା ଭି.  ଏସ୍‌ ମଣିରେ ସେ ନିବେଶ କରିଛନ୍ତି । ବିଶେଷକରି  ଜୀବନଶୈଳୀ ଏବଂ ସାଂସ୍କୃତିକ ମହତ୍ୱ ରଖୁଥିବା  ବ୍ୟବସାୟରେ ସେ ନିବେଶ କରିବାକୁ ଗୁରୁତ୍ୱ ଦିଅନ୍ତି ।  

କୃତ୍ତି ସାନନ୍‌ଙ୍କ ଅନୁଗାମୀ ସଂଖ୍ୟା ହେଉଛି ୫୮.୫  ନିୟୁତ  । ସେ ଏକ ନିରନ୍ତର ଫ୍ୟାଶନ୍‌ ବ୍ରାଣ୍ଡ୍‌ ହାଇଫେନ୍‌ର  ସହ-ପ୍ରତିଷ୍ଠାତା । ବଡ଼ ସ୍କ୍ରିନ୍‌ରୁ ଗ୍ରୀନ୍‌ ଫ୍ୟାଶନ୍‌ ପର୍ଯ୍ୟନ୍ତ  ତାଙ୍କ ଯାତ୍ରା ଲମ୍ବିଛି । ସେହିଭଳି ୪୬.୧ ନିୟୁତ ଅନୁଗାମୀ  ରହିଥିବା ରଶ୍ମିକା ମନ୍ଦନା କ୍ଲିନ୍‌ ବିଉଟି ବ୍ରାଣ୍ଡ୍‌ ପ୍ଲମ୍‌ରେ  ନିବେଶ କରିଛନ୍ତି । ଅନ୍ୟପକ୍ଷରେ, ସାରା ଅଲ୍ଲୀ ଖାନ୍‌  ଯୁବ ଫ୍ୟାଶନ୍‌ ବ୍ରାଣ୍ଡ୍‌ ‘ଦ ସୋଲ୍‌ଡ ଷ୍ଟୋର୍‌’ରେ ନିବେଶ  କରିଛନ୍ତି । ଏହିଭଳି ଭାବେ ଅଭିନେତ୍ରୀମାନେ ସିନେମା  ବାଦ ବ୍ୟବସାୟ ଜଗତରେ ପାଦ ଥାପି ପ୍ରଭାବ ବିସ୍ତାର  କରୁଥିବା ହୁରୁନ୍‌ ପକ୍ଷରୁ ପ୍ରକାଶ ।