ଭୁବନେଶ୍ୱର,୧୯/୦୯: ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ ।  ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ହତ୍ୟା ମାମଲା।  ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । କମିଶନରେଟ ପୁଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୁଲିସ,ଖୁଣ୍ଟୁଣି ଥାନା ପୁଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର  ଖୋଳତାଡ଼ ହେବା ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ  ସୂଚନା ମିଳିଛି ।୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ନିଖୋଜ ପରେ ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। 

ସେପଟେ ସଠିକ ବ୍ୟବଚ୍ଛେଦ ରିପୋର୍ଟ ପାଇଁ  ଭୁବନେଶ୍ୱର ଫରେନସିକ୍ ଲ୍ୟାବକୁ ଆସିଲା କନଷ୍ଟେବଳଙ୍କ ମୃତଦେହର ନମୁନା । ସମ୍ବେଦନଶୀଳ କେସ ହୋଇଥିବାରୁ ଫରେନସିକ ଲ୍ୟାବରେ ହେବ ପରୀକ୍ଷା ।ତେବେ କନେଷ୍ଟବଲ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ଦୀପକ ହିଁ ହତ୍ୟା କରିଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତେଣୁ ପୁଣି ଥରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା,ମା’ ଓ ଭଉଣୀ । ପ୍ରକାଶ ଥାଉକି, ୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରଥମ ବିବାହ କରିଥିଲେ ଦୀପକ । ହେଲେ ୨୦୨୨ ମାର୍ଚ୍ଚ ୧୭ ରାତିରେ ପ୍ରଥମ ପତ୍ନୀଙ୍କ ସହ କାରରେ ଭୁବନେଶ୍ଵର ଦୀପକ ଆସୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିଥିଲା ଦୀପକ । ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲା । ଚିକିତ୍ସା ସମୟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନାରେ ଜଣାଇଥିଲା । ପୁଲିସର ତଦନ୍ତ ବେଳେ ଟ୍ରକ୍ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଶେଷରେ ଦୁର୍ଘଟଣା ଜନିତ ମୃତ୍ୟୁ କହି ମାମଲା ବନ୍ଦ କରିଦେଇଥିଲା ପୁଲିସ ।