ନୂଆଦିଲ୍ଲୀ, ୩/୯ : କେମିତି ଥିଲା ଜିରୋ ଗ୍ରାଭିଟିରେ ଚଳଣି ? ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଳା। ବଖାଣିଲେ ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନର ମଜାଦାର୍ ଅନୁଭୂତି। ନିକଟରେ ଶୁଭାଂଶୁ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଅନ୍ତରୀକ୍ଷରେ କିଭଳି ଖାଦ୍ୟ ଖାଆନ୍ତି ତାହା ଭିଡିଓ ମାଧ୍ୟମରେ ଦେଖାଇଛନ୍ତି। ପୃଥିବୀକୁ ଫେରିବା ପରେ ତାଙ୍କୁ ପୁଣି ଥରେ ଖାଇବା ପିଇବା ଶିଖିବାକୁ ପଡ଼ିଥିବା କଥା କହିଛନ୍ତି।
ଏହି ପୋଷ୍ଟରେ ଶୁଭାଂଶୁ ଲେଖିଛନ୍ତି ଯେ, ଆଉ ଥରେ ଖାଇବା ଶିଖିବାକୁ ପଡ଼ିବ ବୋଲି ମୁଁ କେବେ ଭାବି ନଥିଲି। ମହାକାଶରେ ରହିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମନ୍ତ୍ର ହେଉଛି, 'ଧୀର ହିଁ ଦ୍ରୁତ'। ଏଠାରେ ପାନୀୟକୁ ଖାଦ୍ୟ ଭାବେ ଖିଆଯାଏ। ଏଠାରେ ଖାଦ୍ୟପେୟ ଜିନିଷ ଅତି ସାବଧାନତାର ସହ ରଖିବାକୁ ପଡ଼େ। କାରଣ ଗୁରୁତ୍ଵାକର୍ଷଣ ଶକ୍ତି ନଥିବାରୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଖାଦ୍ୟ ରୋଷେଇ କରିବା ପାଇଁ ଗୁରୁତ୍ଵାକର୍ଷଣ ଶକ୍ତିର ଆବଶ୍ୟକତା ନାହିଁ। ପେରିଷ୍ଟଲସିସ୍ ନାମକ ଏକ ପ୍ରକ୍ରିୟାରେ ମହାକାଶରେ ଖାଦ୍ୟ ପାଚନ ହୁଏ। ଏଠାରେ ଆପଣଙ୍କ ମୁଣ୍ଡ ଉପରକୁ ହେଉ କି ତଳକୁ, ଆପଣଙ୍କ ଶରୀର ସବୁବେଳେ ଖାଦ୍ୟକୁ ପାଚନ କରିପାରିବ।
ଶୁଭାଂଶୁ ଶୁକ୍ଳା ଭାରତର ଦ୍ୱିତୀୟ ମହାକାଶଚାରୀ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରିଥିବା ପ୍ରଥମ ଭାରତୀୟ। ଶୁଭାଂଶୁ ଆକ୍ସିଅମ୍-୪ ମିଶନ୍ ଅନ୍ତର୍ଗତ ଆଇଏସଏସରେ ୧୮ ଦିନ ବିତାଇବା ପରେ ସଫଳତାର ସହ ପୃଥିବୀକୁ ଫେରିଛନ୍ତି।